ମେ’ ୪ରୁ ସିବିଏସ୍‌ଇ ପରୀକ୍ଷା, ଜୁନ୍‌ ୧୦ରେ ସରିବ, ଜୁଲାଇ ୧୫ ସୁଦ୍ଧା ଫଳ

ମାର୍ଚ୍ଚ ପହିଲାରୁ ପ୍ରାକ୍ଟିକାଲ/ପ୍ରୋଜେକ୍ଟ/ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ

ଭୁବ‌ନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୧ ମେ’ ୪ରୁ ଆରମ୍ଭ ହେବ। ମାସାଧିକ କାଳ ଚାଲିବାକୁ ଥିବା ଏହି ପରୀକ୍ଷା ଜୁନ୍ ୧୦ରେ ସରିବ। ‌ତେବେ ଥିଓରି ପୂର୍ବରୁ ଉକ୍ତ ଦୁଇ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ପହିଲାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ/ପ୍ରୋଜେକ୍ଟ/ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ। ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଘୋଷଣା କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ କହିଲେ, କରୋନା କାଳରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି। ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ପିଲାମା‌ନେ ବି କଠିନ ପରିଶ୍ରମ ଜାରି ରଖିଛନ୍ତି। ଦେଶର ୩୩ କୋଟି ଛାତ୍ରଛାତ୍ରୀ ସବୁ ପ୍ରକାର ଆହ୍ବାନକୁ ଗ୍ରହଣ କରି ପାଠପଢ଼ା ଜାରି ରଖିଛନ୍ତି। ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରଖିବା ଲାଗି ଇତିମଧ୍ୟରେ ଦେଶର କେତେକ ବିଦ୍ୟାଳୟ ଅନ୍‌ଲାଇନ୍‌ରେ ପ୍ରି-ବୋର୍ଡ ପରୀକ୍ଷା କରି ସାରିଛନ୍ତି। କୋଭିଡ୍‌-୧୯ କଟକଣା ମଧ୍ୟରେ କେତେକ ରାଜ୍ୟରେ ଅକ୍ଟୋବର ୧୫ରୁ ସ୍କୁଲ ଖୋଲିଛନ୍ତି। ତେବେ ଅଧିକାଂଶ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସି ନଥିବାରୁ ଏପର୍ଯ୍ୟନ୍ତ ଖୋଲି ନାହାନ୍ତି। ତେବେ ଆଗାମୀ ଆହ୍ବାନ ଲାଗି ଏବେ ପ୍ରସ୍ତୁତ ହେବାକୁ ପଡ଼ିବ। ସାଧାରଣତଃ ଜାନୁଆରିରେ ପ୍ରାକ୍ଟିକାଲ ପରୀକ୍ଷା ହୋଇଥାଏ ଏବଂ ଏହାର ଗୋଟିଏ ମାସ ପରେ ଅର୍ଥାତ୍‌ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଥିଓରି ପରୀକ୍ଷା ହୁଏ। ତେବେ କୋଭିଡ୍‌-୧୯ ଯୋଗୁଁ ଏଥର ପରୀକ୍ଷା ସାମାନ୍ୟ ବିଳମ୍ବ ହୋଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା ପରେ ପରୀକ୍ଷା ତାରିଖ ‌ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ମେ’ ୪ରୁ ଆରମ୍ଭ ହେବାକୁ ଥିବା ଥିଓରି ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ସମୟ ସାରଣୀ ଜାରି କରାଯିବ। ୨୫/୨୬ଟି ଦେଶରେ ସିବିଏସ୍‌ଇ ବୋର୍ଡ ଦ୍ବାରା ପରିଚାଳିତ ସ୍କୁଲ ରହିଛନ୍ତି। ସେଠାରେ କିଭଳି ସୁରୁଖୁରୁରେ ପରୀକ୍ଷା ହେବ, ସେନେଇ ବି ବଚାର ଆଲୋଚନା କରାଯାଉଛି।

କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ପରେ ସିବିଏସ୍‌ଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ସମ୍ପର୍କରେ ସୂଚନା ଦିଆଯିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ପରାମର୍ଶ ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ପରୀକ୍ଷା ନେଇ ସମୟ ସମୟରେ ପରୀକ୍ଷା ସମ୍ପର୍କରେ ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯିବ। ସିବିଏସ୍‌ଇ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ। ସୋସିଆଲ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ତଥ୍ୟକୁ ବିଶ୍ବାସକୁ ନ ନେବା ଲାଗି ପରାମର୍ଶ ଦିଆଯାଇଛି। ଯେପର୍ଯ୍ୟନ୍ତ ସିବିଏସ୍‌ଇ ୱେବସାଇଟ୍‌ରେ ସୂଚନା ଦିଆ ନଯାଇଛି, ସେପର୍ଯ୍ୟନ୍ତ ଉକ୍ତ ତଥ୍ୟକୁ ବିଶ୍ବାସ ନକରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର