ସିବିଏସ୍‌ଇର ପରୀକ୍ଷା ପ୍ରସ୍ତୁତି: ଏବର୍ଷ ୭ ହଜାର ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ତା’ ଭିତରେ ମେ’ ୪ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଫଲାଇନ୍‌ରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ପରୀକ୍ଷାକୁ ଅନଲାଇନ୍‌ରେ କରିବାକୁ ଲକ୍ଷାଧିକ ଛାତ୍ରଛାତ୍ରୀ ଓ କେତେକ ସଙ୍ଗଠନ ଦାବି ଉପସ୍ଥାପନ କରୁଛନ୍ତି। ତେବେ ଏନେଇ ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ସଂୟମ୍ ଭରଦ୍ବାଜ ସ୍ପଷ୍ଟ କରିଛନ୍ତି ଯେ, ବୋର୍ଡ ପରୀକ୍ଷା ସମୟରେ ଆମେ ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ସିବିଏସ୍ଇ ଯାହା ନିଷ୍ପତ୍ତି ନେଉଛି ବା ନେବ ତାହା ଛାତ୍ରଛାତ୍ରୀଙ୍କ ଉନ୍ନତି ସପକ୍ଷରେ ନେବ। ଛାତ୍ରଛାତ୍ରୀ କରୋନାର ଦ୍ବିତୀୟ ଲହରରେ ଚାପମୁକ୍ତ ହୋଇ ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ସିବିଏସ୍‌ଇ ଅଧୀନରେ କାମ କରୁଥିବା ୨୫ ହଜାର ସ୍କୁଲର ଏକ ଟିମ୍‌ ଆମ ପାଖରେ ରହିଛି। ଯେକୌଣସି ଆହ୍ବାନକୁ ସଫଳତାର ସହ ସାମ୍ନା କରିବାର ଦକ୍ଷତା ରହିଛି।

ଶ୍ରୀ ଭରଦ୍ବାଜ ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପନ୍ଥା ଗ୍ରହଣ କରାଯିବ। ଗତବର୍ଷ ୫ ହଜାର କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ତେବେ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ୭ ହଜାରକୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଅଭିଭାବକମାନେ ପିଲାଙ୍କୁ ପାଠପଢ଼ା ପ୍ରତି ଉତ୍ସାହିତ କରିବା ସହ କରୋନା କବଳରୁ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ପ୍ରୟାସ କରିବାକୁ ସେ‌ ଆହ୍ବାନ ଦେଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପକ୍ଷରୁ ଅନଲାଇନ୍‌ରେ ଆୟୋଜିତ ‘ସାଇ ଥଟ୍ ଲିଡରସିପ୍’ କାର୍ଯ୍ୟକ୍ରମରେ ଶ୍ରୀ ଭରଦ୍ବାଜ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ନେତୃତ୍ବ ନେବାର କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର