ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ଣରେ ଦ୍ବାଦଶ ଶ୍ରେଣୀ ଓ ଅପରାହ୍ଣରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ବାହାରିଛି। ସର୍ବଭାରତୀୟ ସ୍ତରରେ ଦଶମ ଶ୍ରେଣୀର ପାସ୍‌ ହାର ୨୦୨୪ ତୁଳନାରେ ୦.୦୬% ବଢ଼ିଥିବା ବେଳେ ଦ୍ବାଦଶ ଶ୍ରେଣୀରେ ୦.୪୧% କମିଛି। ଏଥର ଦଶମରେ ପାସ୍‌ହାର ୯୩.୬୬% ଓ ଦ୍ବାଦଶରେ ୮୮.୩୯% ହୋଇଛି। ଓଡ଼ିଶାରେ ଦଶମ ଶ୍ରେଣୀ ପାସ୍‌ହାର ବଢ଼ିଛି। ୨୦୨୪ରେ ପାସ୍‌ହାର ୯୧.୫୩% ରହିଥିବା ବେଳେ ଏଥର ୯୨.୪୦%କୁ ବୃଦ୍ଧି ପାଇଛି। ସେହିପରି ଦ୍ବାଦଶ ଶ୍ରେଣୀ ପାସ୍‌ହାର ୮୦.୮୫%ରୁ ୭୮.୭୪%କୁ ହ୍ରାସ ପାଇଛି। ଉଭୟ ଶ୍ରେଣୀରେ ଓଡ଼ିଶାର ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। 

Advertisment

ଓଡ଼ିଶାରୁ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ୬୦ ହଜାର ୩୧୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୫ହଜାର ୭୩୪ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୩୧ହଜାର ୮୯୩ ଛାତ୍ରଙ୍କ ମଧ୍ୟରୁ ୨୯ହଜାର ୨୦୬ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୧.୫୭% ହୋଇଛି। ସେହିପରି ୨୮ହଜାର ୪୨୨ ଛାତ୍ରୀଙ୍କ ମଧ୍ୟରୁ ୨୬ହଜାର ୫୨୮ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ହାର ୯୩.୩୪% ହୋଇଛି। ଦ୍ବାଦଶ ଶ୍ରେଣୀରେ ୪୦ହଜାର ୭୨୮ଜଣ ପରୀକ୍ଷା ଦେଇଥିବା ବେଳେ ୩୨ହଜାର ୭୦ଜଣ ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୨୨ହଜାର ୨୨୮ ଛାତ୍ରଙ୍କ ମଧ୍ୟରୁ ୧୭ହଜାର ୧୨୭ଜଣ ପାସ୍‌ କରିଛନ୍ତି। ସେହିପରି ୧୮ହଜାର ୫୦୦ ଛାତ୍ରୀଙ୍କ ମଧ୍ୟରୁ ୧୪ହଜାର ୯୪୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଙ୍କ ପାସ୍‌ହାର ୭୭.୦୫% ଓ ଛାତ୍ରୀଙ୍କ ପାସ୍‌ହାର ୮୦.୭୭% ହୋଇଛି। ସିବିଏସ୍‌ଇ ପକ୍ଷରୁ ଏଥର ମଧ୍ୟ କୌଣସି ଟପର୍‌ ତାଲିକା ପ୍ରକାଶ କରାଯାଇନାହିଁ।

ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ଦଶମ ଶ୍ରେଣୀ ପାସ୍‌ହାର ୯୨.୬୪% ହୋଇଛି। ଜୋନ୍‌ରେ ମୋଟ ୧୭୨୭ ବିଦ୍ୟାଳୟର ୧ ଲକ୍ଷ ୪୧ହଜାର ୩୯୯ଜଣ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୦ହଜାର ୫୦୭ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୨.୬୪% ରହିଛି। ଦ୍ବାଦଶ ଶ୍ରେଣୀରେ ୧୩୨୩ ବିଦ୍ୟାଳୟର ୧ଲକ୍ଷ ୧୮ହଜାର ୩୪ଜଣ ପଞ୍ଜୀକରଣ କରିଥିବା ବେଳେ ୧ଲକ୍ଷ ୧୭ହଜାର ୬୯ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୭ହଜାର ୯୧୯ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୩.୬୪% ହୋଇଛି। ଯଦି ଦେଶ କଥା ଦେଖିବା, ଦଶମ ଶ୍ରେଣୀରେ ୨୩ଲକ୍ଷ ୮୫ହଜାର ୭୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୩ଲକ୍ଷ ୭୧ହଜାର ୯୩୯ଜଣ ପରୀକ୍ଷା ଦେଇଥିବା ବେଳେ ୨୨ଲକ୍ଷ ୨୧ହଜାର ୬୩୬ଜଣ ପାସ୍‌ କରିଛନ୍ତି। ତିରୁବନନ୍ତପୁରମ୍‌ର ପାସ୍‌ହାର ସର୍ବାଧିକ ୯୯.୭୯% ହୋଇଛି। ଛାତ୍ରଙ୍କ ପାସ୍‌ହାର ୯୨.୬୩% ଓ ଛାତ୍ରୀଙ୍କ ପାସ୍‌ହାର ୯୫% ‌ରହିଛି। ଛାତ୍ରଙ୍କ ପାସ୍‌ ହାରଠାରୁ ଛାତ୍ରୀମାନେ ୨.୩୭% ଆଗରେ ରହିଛନ୍ତି। ଜେଏନ୍‌ଭିରେ ପାସ୍‌ହାର ସର୍ବାଧିକ ୯୯.୪୯% ହୋଇଛି। ୧ଲକ୍ଷ ୯୯ହଜାର ୯୪୪ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୪୫ହଜାର ୫୧୬ଜଣ ୯୫%ରୁ ଅଧିକ ନମ୍ବର ପାଇଛନ୍ତି।

ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା‌ ୧୬ଲକ୍ଷ ୯୨ହଜାର ୭୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ଲକ୍ଷ ୯୬ହଜାର ୩୦୭ଜଣ ପାସ୍‌ କରିଛନ୍ତି। ଗତବର୍ଷ ତୁଳନାରେ ୦.୪୧% ହ୍ରାସ ପାଇଛି। ବିଜୟୱାଡା ଜୋନ୍‌ର ପାସ୍‌ହାର ସର୍ବାଧିକ ୯୯.୬୦% ହୋଇଛି। ଛାତ୍ରୀଙ୍କ ପାସ୍‌ହାର ୯୧.୬୪% ଓ ଛାତ୍ରଙ୍କ ପାସ୍‌ହାର ୮୫.୭୦% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ୫.୯୪% ଅଧିକ ରହିଛି। ଜେଏନ୍‌ଭିରେ ସର୍ବାଧିକ ୯୯.୨୯% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୧ଲକ୍ଷ ୧୧ହଜାର ୫୪୪ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଓ ୨୪ହଜାର ୮୬୭ଜଣ ୯୫%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି।