ସିବିଏସ୍‌ଇ ପରୀକ୍ଷାରେ ଆସିବ ସ୍ୱଚ୍ଛତା : ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ନୂଆ ଟେକ୍ନୋଲୋଜି

ଶିକ୍ଷକଙ୍କ ପାଇଁ ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ପରୀକ୍ଷାରେ ଆସିବ ସ୍ୱଚ୍ଛତା। କପି ରୋକିବା ପାଇଁ ନୂତନ ଟେକ୍ନୋଲୋଜି ବ୍ୟବହାର କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା କମିଟି ଦୁଇ ଦିନ ତଳେ ରିପୋର୍ଟ ହସ୍ତାନ୍ତର କରିସାରିଛି। ଯେଉଁଥିରେ ନୂତନ ଟେକ୍ନୋଲୋଜି ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ସ୍କୁଲ୍‌ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିଲ୍‌ ସ୍ୱରୂପ କହିଛନ୍ତି।

ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ସ୍ୱରୂପ ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣ କର୍ତୃପକ୍ଷ(ଓପେପା) କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେବା ଅବସରରେ କହିଥିଲେ ଯେ ସିବିଏସ୍‌ଇ ପ୍ରଶ୍ନପତ୍ର ରୋକିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିସହ ସିବିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଖୋଲିବ। ଯେଉଁଠାରେ ଶିକ୍ଷକଙ୍କୁ ତାଲିମ ଦିଆଯିବ, ନିୟମିତ ବ୍ୟବଧାନରେ ସେମାନେ ରିଫ୍ରେସ୍‌ମେଣ୍ଟ କୋର୍ସ କରିପାରିବେ। ଛାତ୍ରଛାତ୍ରୀଙ୍କୁ କିଭଳି କାଉନସେଲିଂ କରାଯିବ ସେନେଇ ମଧ୍ୟ ତାଲିମ ଦିଆଯିବ। ସାରା ଦେଶରେ ୪ଟି ସେଣ୍ଟର ଖୋଲିବ। ସେଥିମଧ୍ୟରୁ ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟରେ ଗୋଟିଏ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଣିକି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ନ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ। ପରେ ସେଠାରୁ ପ୍ରିଣ୍ଟ ଆଉଟ୍‌ କଢ଼ାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଖାତା ସ୍କାନିଂ ଓ ମାର୍କ ଏଣ୍ଟ୍ରି ହେବ।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାରେ ଲାଗୁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଶ୍ରୀ ସ୍ୱରୂପ ସମୀକ୍ଷା କରିଛନ୍ତି। ‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଜାତୀୟସ୍ତରରେ ଆରମ୍ଭ ହୋଇଥିବା ‘ଦୀକ୍ଷା’ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାରେ ବ୍ୟାପକ ପରିବର୍ତନ ଆସିପାରିବ ବୋଲି କହିଥିଲେ। ଉଜ୍ଜ୍ୱଳ, ଉତ୍ଥାନ ଓ ଉତ୍କର୍ଷ ମାଧ୍ୟମରେ ଏକ ଲକ୍ଷ ୮୫ ହଜାର ଶିକ୍ଷକଙ୍କୁ ତାଲିମ, ଶିକ୍ଷକଙ୍କ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା କରିବା ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ସମସ୍ୟା ପିପିପି ମୋଡ୍‌ରେ ସମାଧାନ ହୋଇପାରିବ। ଓଡ଼ିଶା ସରକାର ଯଦି କୌଣସି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଅନ୍ତି ସେଥିପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇଦେବେ। ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟ କିଛି ଭଲ କାର୍ଯ୍ୟ କରିଛନ୍ତି। ଓଡ଼ିଶାର ଏକ ଟିମ୍‌ ସେଠାକୁ ଯାଇ ବୁଲି ଦେଖିବାକୁ ସେ ପରାମର୍ଶ ଦେଇଥିଲେ। ଏହାପରେ ଶ୍ରୀ ସ୍ୱରୂପ ପ୍ରାୟ ଦୁଇ ଘଣ୍ଟା ଧରି ୟୁନିସେଫ୍‌ ସମେତ ୧୫ରୁ ଅଧିକ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ବୈଠକ କରିଥିଲେ।

ସମ୍ବନ୍ଧିତ ଖବର