ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସିବିଏସ୍‌ଇ ପକ୍ଷରୁ ଆଜି ପ୍ରକାଶ ପାଇଥିବା କାର୍ଯ୍ୟସୂଚୀରେ ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ସୁପରିଚାଳନା ଲାଗି ସିବିଏସ୍‌ଇ ପକ୍ଷରୁ ଏଥର ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରର ଜୋନ୍‌ ଅଧୀନରେ ଏଥର ଉଭୟ ଶ୍ରେଣୀରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୭ ହଜାର ପିଲା ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୨ ହଜାର ପିଲା ନାମ ପଞ୍ଜୀକରଣ କରିଥିବା ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫେବ୍ରୁଆରିରୁ ସିଆଇଏସ୍‌ସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର : କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ହେବ। ପ୍ରଥମ ଦିନରେ ଇଂରାଜୀ ପେପର-୧ ବିଷୟର ପରୀକ୍ଷା ହେବାକୁ ଥିବା ବେଳେ ମାର୍ଚ୍ଚ ୨୮ ତଥା ଶେଷ ଦିନରେ ପରିବେଶ ଶିକ୍ଷା ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୭ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନରେ ଫିଜିକ୍ସ ପେପର-୨ର ପ୍ରାକ୍ଟିକାଲ ପରୀକ୍ଷା ହେବ। ଏପ୍ରିଲ ୨ରେ ମନୋବିଜ୍ଞାନ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ପରିବର୍ତନ ହୋଇପାରେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉଭୟ ଶ୍ରେଣୀରେ ଓଡ଼ିଶାରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ରହିଛନ୍ତି।