ସିବିଏସ୍‌ଇ ପରୀକ୍ଷା ‘ଫି’ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି। ବର୍ଦ୍ଧିତ ଫି’ର ପୁନର୍ବିଚାର କରିବାକୁ ନବୀନ ଅନୁରୋଧ କରିଛନ୍ତି। ଚିଠିରେ ସେ ଉଲ୍ଖେଖ କରିଛନ୍ତି, ଏସ୍‌ସି ଓ ଏସ୍‌ଟି ପିଲାଙ୍କ ପରୀକ୍ଷା ଫି’ ବୃଦ୍ଧି ଅସ୍ୱାଭାବିକ ଭାବେ ୨୪ ଗୁଣା ବୃଦ୍ଧି କରାଯାଇଛି।

DNA India

ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଉଭୟ ଅନୁସୂଚିତ ଜାତି ଓ ଜନଜାତି ସମେତ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ମଧ୍ୟ ଏଣିକି ବର୍ଦ୍ଧିତ ଦରରେ ପରୀକ୍ଷା ‘ଫି’ ଦେବେ। ବର୍ତ୍ତମାନ ଯାଏଁ ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀମାନେ ୫୦ ଟଙ୍କା ପରୀକ୍ଷା ‘ଫି’ ଦେଉଥିବା ବେଳେ ନୂତନ ନିୟମ ଅନୁସାରେ ସେମାନଙ୍କୁ ୧୨ ଶହ ଟଙ୍କା ଗଣିବାକୁ ପଡ଼ିବ।

ସୂଚନାଯୋଗ୍ୟ ଓଡ଼ିଶାରେ ୨୦୦ରୁ ଅଧିକ ସିବିଏସ୍‌ଇ ସ୍ୱୀକୃତ ସ୍କୁଲ ଅଛ। ଫି ବୃଦ୍ଧି ଯୋଗୁଁ ଗରିବ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ।

ବିଜ୍ଞପ୍ତି ଅନୁସାରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି ୧୫ ଶହ ଟଙ୍କା କରି ଦିଆଯାଇଛି। ପୂର୍ବରୁ ଏହି ବର୍ଗର ଛାତ୍ରଛାତ୍ରୀମାନେ ୧୨ ଶହ ଟଙ୍କା ଦେଉଥିଲେ। ମାଇଗ୍ରେସନ୍‌ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କା ଦେବାକୁ ପଡ଼ିବ। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର