ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତି ବଦଳିଲା
ଭୁବନେଶ୍ୱର : ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ସ୍ୱଚ୍ଛତା ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ ଗତ ସପ୍ତାହରେ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି। ଏଥିରେ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଧାର ନମ୍ବର ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହୋଇଛି। ଯେଉଁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆଧାର ନମ୍ବର ପଞ୍ଜୀକରଣ ନ କରିବେ ସେମାନେ ଦଶମ ଶ୍ରେଣୀରେ ବୋର୍ଡ ପରୀକ୍ଷା ଦେଇପାରିବେନି କି ଯେଉଁମାନେ ଏକାଦଶ ଶ୍ରେଣୀରେ ଆଧାର ନମ୍ବର ପଞ୍ଜୀକରଣ ନ କରିବେ ସେମାନେ ସିବିଏସ୍ଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇପାରିବେନି। ତେଣୁ ଏହି ଦୁଇ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ଅକ୍ଟୋବର ୩୧ସୁଦ୍ଧା ପଞ୍ଜୀକରଣ କରିବାକୁ ବୋର୍ଡ ପକ୍ଷରୁ ସବୁ ସ୍କୁଲକୁ ଗାଇଡ୍ଲାଇନ୍ ଜାରି କରାଯାଇଛି।
ସିବିଏସ୍ଇର ନୂଆ ନିୟମ ଅନୁଯାୟୀ, ପ୍ରତ୍ୟେକ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ସିବିଏସ୍ଇ େଓ୍ଵବସାଇଟ୍ରେ ପ୍ରଦାନ କରିବେ। ଯେଉଁମାନଙ୍କର ଆଧାର ନମ୍ବର ନଥିବ ସେମାନେ ଆଧାର ପାଇଁ ଆବେଦନ କରିଛନ୍ତି ବୋଲି ତାହାର ପ୍ରମାଣ ସ୍ୱରୂପ ଆବେଦନ ନମ୍ବର ଦେବେ। ଯଦି କିଛି ଅସୁବିଧା ଥିବ ତେବେ ବ୍ୟାଙ୍କ ଖାତାର ନକଲ ଦେବେ। ବିଦେଶୀ ଛାତ୍ରଛାତ୍ରୀମାନେ ସେମାନଙ୍କ ପାସ୍ପୋର୍ଟର ନକଲ ଜମା କରିବେ। ପାସପୋର୍ଟ ନ ଥିଲେ ସେମାନଙ୍କ ଦେଶରୁ ମିଳିଥିବା ଆଇଡି ନମ୍ବର କିମ୍ବା ସାମାଜିକ ନିରାପତ୍ତା ନମ୍ବର ପ୍ରଦାନ କରିବେ। ସେହିପରି ସ୍କୁଲଗୁଡ଼ିକ ୯ମ ଓ ଏକାଦଶ ଶ୍ରେଣୀରେ ପ୍ରତି ସେକ୍ସନ ପିଛା ୪୦ଜଣ ଛାତ୍ରଛାତ୍ରୀଙ୍କର ଆଧାର ନମ୍ବର ପଞ୍ଜୀକରଣ କରିବେ। ସର୍ବାଧିକ ୧୬୦ଜଣ ଛାତ୍ରଛାତ୍ରୀ ଗୋଟିଏ କ୍ଲାସ ପାଇଁ ଆଧାର ନମ୍ବର ପଞ୍ଜୀକରଣ କରିପାରିବେ। ଏହାଠାରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ ସ୍କୁଲ କର୍ତ୍ତୃପକ୍ଷ ଆଧାର ନମ୍ବର ପଞ୍ଜୀକରଣ କରିବା ପୂର୍ବରୁ ସିବିଏସ୍ଇ କାର୍ଯ୍ୟାଳୟରୁ ଏନେଇ ଅନୁମତି ଆଣିବାକୁ ପଡ଼ିବ।
ସେହିପରି ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଅଣାଯାଇଛି। ଚଳିତ ଶିକ୍ଷା ବର୍ଷରେ ଯେଉଁମାନେ ନବମ ଶ୍ରେଣୀରେ ନାମ ଲେଖାଇଛନ୍ତି ସେମାନେ ଦଶମ ଶ୍ରେଣୀରେ କେବଳ ବୋର୍ଡ ପରୀକ୍ଷା ଦେଇପାରିବେ। ସ୍କୁଲ ବେସ୍ଡ ପରୀକ୍ଷା ଦେଇପାରିବେନି। ଏହାବ୍ୟତୀତ ମୂଲ୍ୟାୟନ ସମୟରେ ୮୦ ମାର୍କ ଥିଓରିରୁ ଓ ୨୦ ମାର୍କ ଇଣ୍ଟରନାଲ ଆସେସମେଣ୍ଟରୁ ଦିଆଯିବ। ଜଣଙ୍କୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ଥିଓରିରେ ସର୍ବନିମ୍ନ ୩୩% ମାର୍କ ରଖିବାକୁ ପଡ଼ିବ। ଇଣ୍ଟରନାଲ ଆସେସମେଣ୍ଟ ପୃଥକ ଭାବେ ହିସାବକୁ ନିଆଯିବ। ଥିଓରିରେ ୩୩%ରୁ କମ୍ ମାର୍କ ରଖିଥିଲେ ଉକ୍ତ ଛାତ୍ର/ଛାତ୍ରୀ ଫେଲ୍ ହେବେ।