ଓଡ଼ିଆ ପ୍ରତି ବୈମାତୃକ ମନୋଭାବ ପ୍ରସଙ୍ଗ: ଭୁଲ୍‌ ମାନିଲା ସିବିଏସ୍‌ଇ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନ୍ୟାୟ ମିଳିଲା
ଭୁଲ୍‌ ପ୍ରଶ୍ନ ଓ ଉତ୍ତରରେ ମାର୍କ ମିଳିଲା
ଉପକୃତ ହେଲେ ୨୮ ହଜାର ଓଡ଼ିଆ ପିଲା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଅଧୀନ ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ବିଷୟ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ହୋଇଛି। ଓଡ଼ିଆ ବିଷୟ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନ ଥିଲା। ଯେଉଁଥିପାଇଁ ପିଲାମାନେ ସଠିକ୍‌ ଉତ୍ତର ଲେଖିପାରି ନାହାନ୍ତି ଏବଂ କମ୍‌ ମାର୍କ ଦିଆଯାଇଛି। ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି। ଅନୁଧ୍ୟାନରୁ ଜଣାପଡ଼ି‌ଛି ଯେ ପ୍ରଶ୍ନପତ୍ରର ୧୩ଟି ପ୍ରଶ୍ନ ଓ ଉତ୍ତର‌ରେ ସାମଞ୍ଜସ୍ୟ ନାହିଁ। ତେଣୁ ଉକ୍ତ ପ୍ରଶ୍ନଗୁଡ଼ିକ ଲାଗି ପିଲାଙ୍କୁ ସମ୍ପୂର୍ଣ୍ଣ ମାର୍କ ଦେବାକୁ ସିବିଏସ୍‌ଇ ଦ୍ବାରା ଗଠିତ କମିଟି ବିଶେଷଜ୍ଞ କମିଟି ସୁପାରିସ୍‌ କରିଥିଲା। ଯାହାକୁ ଆଧାର କରି ସିବିଏସ୍‌ଇ ଆଜି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାର୍କ ଦେଇଛି।

ମାର୍ଚ୍ଚ ୧୪ରେ ‘ସମ୍ବାଦ’ରେ ପ୍ରକାଶିତ ‘ଓଡ଼ିଆ ପ୍ରତି ବୈମାତୃକ ମନୋଭାବ’ ଶୀର୍ଷକ ଖବର ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିବା ସହ ୨୪ ଘଣ୍ଟା ମଧ୍ୟରେ ପିଲାଙ୍କୁ ନ୍ୟାୟ ଦେବାକୁ ସିବିଏସ୍‌ଇ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ସିବିଏସ୍‌ଇ ପକ୍ଷରୁ ମଧ୍ୟ ତତ୍‌କ୍ଷଣାତ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଅନୁଧ୍ୟାନ କରାଯାଇଥିଲା। ମାତ୍ର ୬ଘଣ୍ଟା ମଧ୍ୟରେ ଉକ୍ତ କମିଟି ସିବିଏସ୍‌ଇ କର୍ତୃପକ୍ଷଙ୍କୁ ରିପୋର୍ଟ ଦେବା ପରେ ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିଛି।

ସିବିଏସ୍‌ଇ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ୧୧ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଖବର ପ୍ରକାଶ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହସ୍ତକ୍ଷେପ କରିବା ସହ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସ୍‌ଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ପରୀକ୍ଷା ତ୍ରୁଟିକୁ ଅନୁଧ୍ୟାନ କରିଥିଲେ। ଗତକାଲି ସନ୍ଧ୍ୟା ୬ଟାରେ କମିଟି ତାହାର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରିବା ପରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡ଼ିଆ ବିଷୟର ଓଏମ୍‌ଆରଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ। ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି। ଏହାଦ୍ୱାରା ଓଡ଼ିଶାର ୨୮ହଜାର ୩୧୦ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ନେଇ ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏଭଳି ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ସିବିଏସ୍‌ଇ ପକ୍ଷରୁ କୁହାଯାଇନାହିଁ। ଏମିତିକି ଗତ ଡିସେମ୍ବରରେ ପରୀକ୍ଷା ସରିବା କ୍ଷଣି ଅଭିଭାବକମାନେ ଏହି ସମସ୍ୟା ନେଇ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ଅବଗତ କରିଥିଲେ। ମାତ୍ର ସେ କାହିଁକି ନିରବ ରହିଥିଲେ? ଏନେଇ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ କି ନାହିଁ? ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଚାପି ବସୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଯେଉଁମାନେ ଭୁଲ୍‌ ପ୍ରଶ୍ନ ଓ ଉତ୍ତର ପ୍ରସ୍ତୁତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର