ଗ୍ରେସ୍ ମାର୍କ ଦାବିରେ ସିବିଏସ୍ଇ କାର୍ଯ୍ୟାଳୟରେ ତାଲା

କର୍ମଚାରୀଙ୍କ ସହ ଧସ୍ତାଧସ୍ତି, ଥାନାରେ ଅଭିଯୋଗ

ଭୁବନେଶ୍ୱର: ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏନ୍‌ସିଇଆରଟି ପୁସ୍ତକ ପ୍ରଚଳନ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କୌଣସି ହୋମ୍ଓ୍ୱାର୍କ ନ ଦେବା, ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ପ୍ରଦାନ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଭୁବନେଶ୍ବରସ୍ଥିତି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଅଭିଭାବକମାନେ ସକାଳୁ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଦେବା ଫଳରେ ଦୁଇ ଘଣ୍ଟା ଧରି କାର୍ଯ୍ୟାଳୟ ବନ୍ଦ ରହିଥିଲା। କୌଣସି ଅଧିକାରୀଙ୍କୁ ଭିତରକୁ ଯାଇପାରି ନଥିଲେ। ଏ ନେଇ କର୍ମଚାରୀ ଓ ଅଭିଭାବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଖବରପାଇ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀ ଟି କେ ମାଟେଙ୍କ ସମେତ ପୁଲିସ ଅଧିକାରୀମାନେ ପହଞ୍ଚି ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କ୍ରୋଲ୍‌ ଅଫ୍ ଏକ୍ଜାମିନେସନ୍‌କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଏନ୍‌ସିଇଆର୍‌ଟି ପୁସ୍ତକ ଲାଗୁ କରିବା କ୍ଷେତ୍ରରେ ଅବହେଳା କରୁଥିବା ସ୍କୁଲ୍‌ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଞ୍ଚଳିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଅଭିଭାବକମାନେ ଆନ୍ଦୋଳନରୁ ଓହରିଥିଲେ। ତେବେ ଆନ୍ଦୋଳନ ଚାଲୁଥିବା ସମୟରେ ସିବିଏସ୍‌ଇ କାର୍ଯ୍ୟାଳୟର ଜଣେ ଅଣଓଡ଼ିଆ ଅଫିସର ମହାସଂଘର କର୍ମକର୍ତ୍ତାଙ୍କୁ ଗାଳିଗୁଲଜ କରିଥିଲେ। ଖରାପ ଭାଷା ପ୍ରୟୋଗ କରିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଓ ସଞ୍ଜୟ ମହାପାତ୍ର ଆହତ ହୋଇଥିଲେ। ଏନେଇ ମହାସଂଘ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଛି।

ଅଭିଭାବକଙ୍କ କହିବାନୁଯାୟୀ ଏନ୍‌ସିଇଆରଟି ପୁସ୍ତକ ବାଧ୍ୟତାମୂଳକ କରିବା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ ନ ଦେବା ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସିବିଏସ୍ଇ କର୍ତ୍ତୃପକ୍ଷ ଅଗଷ୍ଟ ୧୩ରେ ସମସ୍ତ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିୟମକୁ ଲାଗୁ କରା ନଯିବାରୁ ୨୦୧୮ ଡିସେମ୍ବରରେ ଅଭିଭାବକ ମହାସଂଘ ସିବିଏସ୍ଇ ଆଞ୍ଚଳିକ ଅଧିକାରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଥିଲା। ଗତ ମାସରେ ପୁଣିଥରେ ଦାବିପତ୍ର ଦିଆଯାଇଥିଲା। ତଥାପି କୌଣସି ସୁଫଳ ମିଳି ନାହିଁ। ସେହିପରି ଦଶମ ଶ୍ରେଣୀର ହିନ୍ଦୀ, ବିଜ୍ଞାନ ଓ ଗଣିତ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବାରୁ ଛାତ୍ରଛାତ୍ରୀ ମାନସିକ ଭାରସାମ୍ୟ ହରାଇଲେଣି। ତେଣୁ ଗ୍ରେସ୍‌ ମାର୍କ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ୧୫ ଦିନ ତଳେ ମହାସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ଏପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ଧାରଣାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ମନୋଜ ଜେନା, ମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା, ଅଶୋକ ପାଇକରାୟ, ସ୍ବପ୍ନେନ୍ଦୁ ସାମନ୍ତରାୟ, ଲିଲି ଜେନାମଣି, ଶୁଭ୍ରଜିତ ମହାନ୍ତି, ମିନତି ଖୁଇ, ସଞ୍ଜୟ ମହାପାତ୍ର, ପ୍ରଦୀପ ସେଠୀ, ଦୋବଶିଷ ପଟ୍ଟନାୟକ, ପ୍ରସନ୍ନ ସାହୁଙ୍କ ସମେତ ବହୁ ଅଭିଭାବକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର