ଦ୍ୱାଦଶର ଅର୍ଥନୀତି, ଦଶମର ଗଣିତ ପ୍ରଶ୍ନପତ୍ର ଲିକ୍‌
ପୁଣିଥରେ ପରୀକ୍ଷା ପାଇଁ ସିବିଏସ୍‌ଇର ବିଜ୍ଞପ୍ତି
ଭୁବନେଶ୍ୱର ଜୋନ୍‌ରେ ଦ୍ୱନ୍ଦ୍ୱ, ଚିନ୍ତାରେ ପରୀକ୍ଷାର୍ଥୀ

Advertisment

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ବେଳେ ମୋବାଇଲରେ ପ୍ରଶ୍ନପତ୍ର ଭାଇରାଲ ହେବାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ସର୍ବାଧିକ ସୁରକ୍ଷିତ ବୋଲି କୁହାଯାଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଧ୍ୟ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଗତ ୨୬ ତାରିଖରେ ହୋଇଥିବା ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ଓ ଆଜି ହୋଇଥିବା ଦଶମ ଶ୍ରେଣୀର ଗଣିତ ବିଷୟ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ତେଣୁ ଉକ୍ତ ଦୁଇଟି ବିଷୟର ପରୀକ୍ଷା ପୁଣିଥରେ କରିବାକୁ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପରୀକ୍ଷା କେବେ ହେବ ସେନେଇ ଏକ ସପ୍ତାହ ମଧ୍ୟରେ ଜଣାଇ ଦିଆଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ଉଭୟ ବିଷୟର ପ୍ରଶ୍ନପତ୍ର ନୂଆଦିଲ୍ଲୀ ଜୋନ୍‌ରେ ଲିକ୍‌ ହୋଇଛି। ତେଣୁ ପୁଣିଥରେ ଯେଉଁ ପରୀକ୍ଷା ହେବ ତାହା ଦିଲ୍ଲୀ ଜୋନ୍‌ରେ ହେବ ନା ସିବିଏସ୍‌ଇର ସମସ୍ତ ଜୋନ୍‌ରେ ହେବ ସେନେଇ ସିବିଏସ୍‌ଇ କର୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟ ଆଗାମୀ ପରୀକ୍ଷା ଉପରେ ପଡ଼ିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ସୁରୁଖୁରରେ ଶେଷ ହେବାକୁ ଥିବାବେଳେ ଆଜି ଗଣିତ ବିଷୟର ପରୀକ୍ଷା ଥିଲା। ସେହି ଅନୁଯାୟୀ ପରୀକ୍ଷାର୍ଥୀ ନିଜକୁ ପ୍ରସ୍ତୁତ କରିବା ସହ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ଜଣାପଡ଼ିଥିଲା ଯେ ମଙ୍ଗଳବାର ରାତିରେ ଗଣିତ ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଛି। ଦିଲ୍ଲୀ ଜୋନ୍‌ର ବିଭିନ୍ନ ସ୍ଥାନରେ ସୋସିଆଲ୍‌ ମିଡିଆରେ ଗଣିତ ପ୍ରଶ୍ନପତ୍ର ବୁଲୁଥିଲା। ଏନେଇ ଅଭିଯୋଗ ପହଞ୍ଚିବା ପରେ ସିବିଏସ୍‌ଇ କର୍ତ୍ତୃପକ୍ଷ ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ଯାଞ୍ଚ କରିଥିଲେ। ପ୍ରଶ୍ନପତ୍ର ଲିକ୍‌ ସ୍ପଷ୍ଟ ହେବା ପରେ ପୁଣିଥରେ ଗଣିତ ପରୀକ୍ଷା କରାଇବାକୁ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଗତ ୨୬ ତାରିଖରେ ଅନୁଷ୍ଠିତ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ବିଷୟର ବି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଘଟଣା ଏବେ ପଦାକୁ ଆସିଛି। ୨୫ ତାରିଖ ରାତିରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ପ୍ରଚାର ହୋଇଥିଲା। ଦିଲ୍ଲୀର ଏକ ସ୍ଥାନରୁ ଏହି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ଆସିଥିଲେ ମଧ୍ୟ ସିବିଏସ୍‌ଇ କର୍ତୃପକ୍ଷ ଏହାକୁ ଖଣ୍ଡନ କରିଥିଲେ। ପ୍ରଶ୍ନପତ୍ର ଲିକ୍‌ ହୋଇନି ବୋଲି କହିବା ସହ ବିଚଳିତ ନ ହେବାକୁ ସିବିଏସ୍‌ଇ କର୍ତୃପକ୍ଷ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ଦେଇଥିଲେ। ଏବେ କିନ୍ତୁ ପ୍ରକୃତ ଘଟଣା ପଦାକୁ ଆସିଛି। ଅର୍ଥନୀତି ବିଷୟର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସତ୍ୟ ବୋଲି ଜଣାପଡ଼ିବା ପରେ ପୁଣିଥରେ ଅର୍ଥନୀତି ବିଷୟର ପରୀକ୍ଷା ହେବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସିବିଏସ୍‌ଇ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଏନେଇ ଏକ ମାମଲା ଦାୟର କରି ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଦୁଇ ବିଷୟ ବ୍ୟତୀତ ଆହୁରି ଏକାଧିକ ବିଷୟର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଏବେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ, ଦଶମ ଶ୍ରେଣୀର ସୋସିଆଲ୍‌ ଷ୍ଟଡିଜ୍‌ ଓ ଦ୍ୱାଦଶ ଶ୍ରେଣୀର ବାଇଓଲୋଜି ବିଷୟର ପ୍ରଶ୍ନପତ୍ର ମଧ୍ୟ ଲିକ୍‌ ହୋଇଛି। ତାହାର ତଦନ୍ତ କରାଯାଉ। ଓଡ଼ିଶା ଅଭିଭାବକ ମହାସଂଘ ଘଟଣାକୁ ନିନ୍ଦା କରିଛି। ଦେଶର ଏତେ ବଡ଼ ବୋର୍ଡର ଅବହେଳା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମାନସିକ ଚିନ୍ତାରେ ପଡ଼ିଛନ୍ତି। ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳିଥିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରିବାକୁ ମହାସଂଘର ସୁଦର୍ଶନ ଦାଶ, ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା, ନନ୍ଦ କିଶୋର ମଲ୍ଲିକ ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦାବି କରିଛନ୍ତି।

ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ସିବିଏସ୍‌ଇ ଭୁବନେଶ୍ୱର ଜୋନ୍‌ କର୍ତୃପକ୍ଷ କିଛି ବି କହିବାକୁ ମନା କରିଦେଇଛନ୍ତି। ତାଙ୍କ କହିବା କଥା ହେଲା ସିବିଏସ୍‌ଇ ନୂଆଦିଲ୍ଲୀ କାର୍ଯ୍ୟାଳୟ ପ୍ରଶ୍ନପତ୍ର ଲିକ୍‌ ଉପରେ ମତାମତ ଦେବେ। ଭୁବନେଶ୍ୱର ଜୋନ୍‌ରେ ଆଉ ଥରେ ପରୀକ୍ଷା ହେବ କି ନାହିଁ ତାହା ମୁଖ୍ୟ କାର୍ଯ୍ୟାଳୟ ନିଷ୍ପତ୍ତି ନେବ। ଆମର କିଛି ବି କହିବାର ନାହିଁ।