ସିବିଏସ୍‌ଇ ଉପରେ ବିଶ୍ୱାସ ତୁଟିଗଲା

ବିଧାନସଭାରେ ଅଭିଯୋଗ କଲେ ବିଜେଡି ସଭ୍ୟ

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। ଶୂନ୍ୟକାଳରେ ବିଜେଡି ସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଓ ସିବିଏସ୍‌ଇକୁ ସମାଲୋଚନା କରିଥିଲେ। ପ୍ରଥମେ ସଞ୍ଜୟ ଦାସବର୍ମା ଏହି ପ୍ରସଙ୍ଗରେ କହିଥିଲେ, ଦେଶର ଶିକ୍ଷା ବ୍ୟବସ୍ଥାରେ ସିବିଏସ୍‌ଇକୁ ସବୁଠାରୁ ବିଶ୍ୱସନୀୟ ସଂସ୍ଥା ଭାବେ ଗଣାଯାଏ। ଏଥିରେ କେବେ ପ୍ରଶ୍ନପତ୍ର ଲିକ୍‌ ହେବନି ବୋଲି ଅଭିଭାବକଙ୍କ ଭରସା ଓ ବିଶ୍ୱାସ ଥାଏ। କିନ୍ତୁ ସିବିଏସ୍‌ଇ ଯେ ସୁରକ୍ଷିତ ନୁହେଁ, ତାହା ଆଜି ପ୍ରମାଣିତ ହୋଇଗଲା। ଏହା ଦ୍ୱାରା ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇଛି। କେନ୍ଦ୍ର ସରକାର ପିଲାଙ୍କ ଭବିଷ୍ୟତ ସହ ନ ଖେଳି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ଦାବି କରିଥିଲେ।

ବିଜେଡି ସଭ୍ୟ ସମୀର ଦାଶ କହିଥିଲେ, କେନ୍ଦ୍ର ସରକାର ନିଜକୁ ଯେତିକି କହୁଛନ୍ତି ବାସ୍ତବରେ ସେତିକି ନୁହଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମନ୍‌ କି ବାତ୍‌ କହୁଥିଲେ। ଏବେ ପ୍ରଶ୍ନପତ୍ର ଲିକ୍‌ ହେଲା ପରେ ଆଉ କ’ଣ ମନ୍‌ କି ବାତ୍‌ କହିବେ। ପିଲାମାନଙ୍କ ମାନସିକ ସନ୍ତୁଳନ ଏବେ ଠିକ୍‌ ନାହିଁ। କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର