ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ପୂର୍ବାହ୍ନରେ ଦ୍ବାଦଶ ଶ୍ରେଣୀ ଓ ଅପରାହ୍ଣରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଫଳ ବାହାରିଛି। ପରୀକ୍ଷାରେ ଓଡ଼ିଶା ସମେତ ସାରା ଦେଶର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଗତବର୍ଷ ତୁଳନାରେ ନୈରାଶ୍ୟଜନକ ହୋଇଛି। ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍‌ହାର ୨୦୨୨ ତୁଳନାରେ ୧.୨୮% ଏବଂ ଦ୍ବାଦଶ ଶ୍ରେଣୀରେ ୫.୩୮% କମିଛି। ଓଡ଼ିଶାରେ ମଧ୍ୟ ପାସ୍‌ ହାର ବହୁ ପରିମାଣରେ ହ୍ରାସ ପାଇଛି। ୨୦୨୨ରେ ଓଡ଼ିଶାରେ ଦଶମ ଶ୍ରେଣୀ ପାସ୍‌ହାର ୯୭.୬୯% ରହିଥିବା ବେ‌ଳେ ଏଥର ୯୨.୭୦%କୁ ଖସି ଆସିଛି। ଦ୍ବାଦଶ ଶ୍ରେଣୀ ପାସ୍‌ହାର ୯୩.୨୨%ରୁ ୮୪.୧୪% ହ୍ରାସ ପାଇଛି। ଉଭୟ ଶ୍ରେଣୀରେ ଓଡ଼ିଶାର ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ୯୦%ରୁ ଅଧିକ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଥିବା ନଜରକୁ ଆସିଛି।

Advertisment

ଓଡ଼ିଶାରେ ଦଶମରେ ୯୨.୭୦%, ଦ୍ବାଦଶରେ ୮୪.୧୪%
ଛାତ୍ରୀ ଆଗରେ, ଥିରୁବନନ୍ତପୁରମ୍ ପାସ୍‌ହାର ସର୍ବାଧିକ

ଓଡ଼ିଶାରୁ ଦଶମ ଶ୍ରେଣୀରେ ୬୧୮ ବିଦ୍ୟାଳୟରୁ ପଞ୍ଜୀକରଣ କରିଥିବା ୫୧ ହଜାର ୭୦୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ହଜାର ୯୩୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ୩୧୬୧ଜଣ କମ୍ପାଟମେଣ୍ଟ୍‌ ଦେବାକୁ ଥିବା ବେଳେ ୨୬୪ଜଣ ଫେଲ୍‌ ହୋଇଛନ୍ତି। ଦ୍ବାଦଶ ଶ୍ରେଣୀରେ ୩୬୫ ବିଦ୍ୟାଳୟରୁ ୩୧ ହଜାର ୮୮୪ଜଣ ପଞ୍ଜୀକରଣ କରିଥିବା ବେଳେ ୨୬ ହଜାର ୮୨୯ଜଣ ପାସ୍‌ କରିଛନ୍ତି। ୨୪୩୦ଜଣ କମ୍ପାଟମେଣ୍ଟ ଦେବେ ଏବଂ ୨୩୨୩ ଜଣ ‌ଫେଲ୍‌ ହୋଇଛନ୍ତି। ସିବିଏସ୍‌ଇ ପକ୍ଷରୁ ଏଥର କୌଣସି ଟପର୍‌ ତାଲିକା ପ୍ରକାଶ କରାଯାଇନାହିଁ।

ରିପୋର୍ଟ ଲେଖାଯିବା ବେଳକୁ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠା ପାଲ୍‌ ୯୯.୮%, ବାଣିଜ୍ୟରେ ଡିଏଭି ୟୁନିଟ୍‌ ୮ର ପ୍ରଗତି ଅଗ୍ରୱାଲ ୯୮% ଓ କଳା ବିଭାଗରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ସ୍ନେହା ନାୟକ ୯୮.୪% ମାର୍କ ରଖି ଆଗରେ ରହିଛନ୍ତି। ଓଡିଏମ୍‌ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସ୍ବାତୀ ସୁଚରିତା ସାହୁ ଓ ୟୁନିଟ୍‌ ୮ ଡିଏଭିର ନବନୀତ ପ୍ରିୟଦର୍ଶୀ ଯୁଗ୍ମ ଭାବେ ୯୯.୨% ମାର୍କ ରଖି ଓଡ଼ିଶାରେ ଆଗରେ ରହିଥିବା ସୂଚନା ମିଳିଛି।

publive-image

ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ଦଶମ ଶ୍ରେଣୀ ପାସ୍‌ହାର ୯୩.୬୪% ହୋଇଛି। ଜୋନ୍‌ରେ ମୋଟ ୧୪୯୧ ବିଦ୍ୟାଳୟର ୧ ଲକ୍ଷ ୨୩ ହଜାର ୩୫୦ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୬୪୪ଜଣ ପାସ୍‌ କରିଛନ୍ତି। ୭୦୪୭ଜଣ କମ୍ପାଟମେଣ୍ଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୬୯୮ଜଣ ଫେଲ୍‌ ହୋଇଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀରେ ୧୦୫୫ ବିଦ୍ୟାଳୟର ୧ ଲକ୍ଷ ୨ହଜାର ୩୭୫ଜଣ ପଞ୍ଜୀକରଣ କରିଥିବା ବେଳେ ୮୫ ହଜାର ୩୪୯ଜଣ ପାସ୍‌ କରିଛନ୍ତି। ୮୫୧୩ଜଣ କମ୍ପାଟମେଣ୍ଟାଲ ପାଇଁ ରହିଥିବା ବେଳେ ୭୨୦୮ଜଣ ପାସ୍‌ କରିଛନ୍ତି।

ଯଦି ଦେଶ କଥା ଦେଖିବା, ଦଶମ ଶ୍ରେଣୀରେ ୨୧ ଲକ୍ଷ ୮୪ ହଜାର ୧୧୭ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୧ ଲକ୍ଷ ୬୫ ହଜାର ୮୦୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୦ ଲକ୍ଷ ୧୬ ହଜାର ୭୭୯ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୩.୧୨% ହୋଇଛି। ତିରୁବନନ୍ତପୁରମ୍‌ର ପାସ୍‌ହାର ସର୍ବାଧିକ ୯୯.୯୧% ହୋଇଛି। ଛାତ୍ରଙ୍କ ପାସ୍‌ହାର ୯୨.୨୭% ଓ ଛାତ୍ରୀଙ୍କ ପାସ୍‌ହାର ୯୪.୨୫% ‌ରହିଛି। ଛାତ୍ରଙ୍କ ପାସ୍‌ହାରଠାରୁ ଛାତ୍ରୀମାନେ ୧.୯୮% ଆଗରେ ରହିଛନ୍ତି। ଜେଏନ୍‌ଭିର ପାସ୍‌ହାର ସର୍ବାଧିକ ୯୯.୧୪% ହୋଇଛି। ୧ ଲକ୍ଷ ୯୫ ହଜାର ୭୯୯ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୪୪ ହଜାର ୨୯୭ଜଣ ୯୫%ରୁ ଅଧିକ ନମ୍ବର ପାଇଛନ୍ତି।

ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା‌ ୧୬ ଲକ୍ଷ ୬୦ ହଜାର ୫୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଲକ୍ଷ ୫୦ ହଜାର ୧୭୪ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୭.୩୩% ହୋଇଛି। ତିରୁବନନ୍ତପୁରମ୍ ସର୍ବାଧିକ ୯୯.୯୧% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୦.୬୮% ଓ ଛାତ୍ରଙ୍କ ପାସ୍‌ହାର ୮୪.୬୭% ରହିଛି। ଜେଏନ୍‌ଭିରେ ସର୍ବାଧିକ ୯୭.୫୧% ପରୀକ୍ଷାର୍ଥୀ ପାସ୍‌ କରିଥିବା ବେଳେ ସିଟିଏସ୍‌ଏରେ ୯୬.୭୭%, କେଭିରେ ୯୨.୫୧%, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୮୭.୯୫%, ସରକାରୀ ବିଦ୍ୟାଳୟରେ ୮୩.୮୩% ଓ ଘରୋଇ ବିଦ୍ୟାଳୟରେ ୮୭.୯୫% ହୋଇଛି। ୧ ଲକ୍ଷ ୧୨ ହଜାର ୮୩୮ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଓ ୨୨ ହଜାର ୬୨୨ ଜଣ ୯୫%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି।