ଭୁବନେଶ୍ୱର : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀରେ ତ୍ରୁଟି ଥିବା ନେଇ ସାରା ଦେଶରୁ ଅଭିଯୋଗ ଆସିବା ପରେ ତାରିଖ ବଦଳାଯାଇଛି। ଏପ୍ରିଲ ୮ରେ ଜେଇଇ ମେନ୍ ଅଫ୍ ଲାଇନ୍ ପରୀକ୍ଷା ଥିବା ବେଳେ ୯ ତାରିଖରେ ଫିଜିକାଲ ଏଜୁକେସନ ବିଷୟର ପରୀକ୍ଷା ରହିଥିଲା। ଏ ନେଇ ଛାତ୍ରଛାତ୍ରୀ, ଅଭିଭାବକ ପ୍ରତିବାଦ କରିବା ପରେ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏପ୍ରିଲ ୯ ବଦଳରେ ଏପ୍ରିଲ ୧୩ ତାରିଖରେ ହେବ। ପୂର୍ବାହ୍ନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ ବୋଲି ସିବିଏସ୍ଇ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ସିବିଏସ୍ଇର ଏହି ପରିବର୍ତନ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ରୋକିବାରେ ସକ୍ଷମ ହୋଇନାହିଁ। ଗୋଟିଏ ମାତ୍ର ବିଷୟର ସମୟ ପରିବର୍ତନ ହୋଇଥିବାରୁ ପ୍ରତିବାଦ କରିଛନ୍ତି। ସେମାନଙ୍କ କହିବା କଥା ହେଲା ମାର୍ଚ୍ଚ ୨୦ରେ ହ୍ୟୁମାନିଟିଜ୍ ବିଭାଗର ଇତିହାସ ପରୀକ୍ଷା ଥିବାବେଳେ ୨୧ରେ ଗଣିତ ବିଷୟ ପରୀକ୍ଷା ରଖାଯାଇଛି। ଏପ୍ରିଲ ମାସରେ ଲଗାତାର ୩ଟି ବିଷୟର ପରୀକ୍ଷା ରହିଛି। ଏପ୍ରିଲ ୫ରେ ମନସ୍ତତ୍ତ୍ୱ ବିଜ୍ଞାନ, ୬ରେ ରାଜନୀତି ବିଜ୍ଞାନ, ୭ରେ ଲିଗାଲ୍ ଷ୍ଟଡିଜ୍ ବିଷୟର ପରୀକ୍ଷା ରହିଛି। ବିଜ୍ଞାନ ବିଭାଗର କାର୍ଯ୍ୟସୂଚୀକୁ ନେଇ ବି ସମସ୍ୟା ରହିଛି। ମାର୍ଚ୍ଚ ୫ରେ ଇଂରାଜୀ ବିଷୟ ପରୀକ୍ଷା ଥିବା ବେଳେ ଏହାର ଗୋଟିଏ ଦିନ ପରେ ମାର୍ଚ୍ଚ ୭ରେ ଫିଜିକ୍ସ ପରୀକ୍ଷା। ମାର୍ଚ୍ଚ ୨୧ରେ ଗଣିତ ପରୀକ୍ଷା ଥିବା ବେଳେ ୨୩ରେ କମ୍ପ୍ୟୁଟର ସାଇନ୍ସ ବିଷୟ ପରୀକ୍ଷା ରଖାଯାଇଛି। ତେଣୁ ଏଥିରେ ବି ପରିବର୍ତନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।