ସିବିଏସ୍‌ଇ +୨ ଫଳ ପ୍ରକାଶ : ଭୁବନେଶ୍ୱର ଜୋନ୍‌ରେ ୮୩.୭୦% ପାସ୍‌

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ସିବିଏସ୍‌ଇ) ପରିଚାଳିତ +୨ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସାରା ଦେଶରେ ପାସ୍‌ ହାର ୮୩.୦୧% ରହିଛି। ଯାହା ଗତବର୍ଷଠାରୁ ପ୍ରାୟ ୧% ଅଧିକ। ଏଥିରେ ଛାତ୍ରୀଙ୍କ ପାସ୍‌ ହାର ୮୮.୩୧% ରହିଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୭୮.୯୯% ରହିଛି। ସାରା ଦେଶରେ ୧୧,୫୧୦ଟି ସ୍କୁଲର ୧୧,୦୬,୭୭୨ଜଣ ପରୀକ୍ଷା ଦେଇଥିବାବେଳେ ୯,୧୮,୭୬୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ଉତ୍ତର ପ୍ରଦେଶର ତାଜ ଏକ୍ସପ୍ରେସ୍‌େଓ୍ଵରେ ଥିବା ଷ୍ଟେପ୍‌ ବାଇ ଷ୍ଟେପ୍‌ ସ୍କୁଲର ମେଘନା ଶ୍ରୀବାସ୍ତବ ମୋଟ୍‌ ୫୦୦ ମାର୍କରୁ ୪୯୯ ମାର୍କ ରଖି ସାରା ଦେଶରେ ଟପର୍‌ ହୋଇଛନ୍ତି। ଉତ୍ତର ପ୍ରଦେଶର ଏସ୍‌ଏଜେ ସ୍କୁଲ୍‌ର ଅନୁଷ୍କା ଚନ୍ଦ୍ରା ୪୯୮ ମାର୍କ ରଖି ଦ୍ୱିତୀୟ ଟପର୍‌ ହୋଇଛନ୍ତି। ୭ଜଣ ଛାତ୍ରଛାତ୍ରୀ ୪୯୭ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି।

ଅପରପକ୍ଷେ ଭୁବନେଶ୍ୱର ଜୋନ୍‌ର ପାସ୍‌ ହାର ୮୩.୭୦% ରହିଛି। ଏଥିରେ ଛାତ୍ରଙ୍କ ପାସ୍‌ ହାର ୮୧.୨୦% ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୮୭% ରହିଛି। ଚଳିତବର୍ଷ ଭୁବନେଶ୍ୱର ଜୋନ୍‌ର ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ମୋଟ୍‌ ୬୧,୧୯୯ ଜଣ ପରୀକ୍ଷା ଦେଇଥିବାବେଳେ ୫୧,୨୨୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୩୪୬ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଏଥିରେ ୨୪୫୦ଜଣ ଛାତ୍ର ଥିବାବେଳେ ୧୮୯୬ଜଣ ଛାତ୍ରୀ ଅଛନ୍ତି। କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଋତୁ କୁମାରୀ ବାଣିଜ୍ୟରେ ୯୯% ନମ୍ବର ରଖି ଜୋନ୍‌ ଟପର୍‌ ହୋଇଥିବା ଜାଣିବାକୁ ମିଳିଛି। ଓଡ଼ିଶାରେ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ କେତେ ଉତ୍ତୀର୍ଣ୍ଣ ହୋଇଛନ୍ତି ତାହାର ସବିଶେଷ ତଥ୍ୟ ସିବିଏସ୍‌ଇ ଭୁବନେଶ୍ୱର ଜୋନ୍‌ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇନି।

ଭୁବନେଶ୍ୱର ଜୋନ୍‌ର ୮୩ଟି ସରକାରୀ ସ୍କୁଲରେ ୧୫୫୩ ଜଣ ପରୀକ୍ଷା ଦେଇଥିବାବେଳେ ୫୦୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୯୨ଜଣ ଫେଲ୍‌ ହୋଇଥିବାବେଳେ ୨୫୫ଜଣ କମ୍ପାର୍ଟମେଣ୍ଟ ଲାଗିଛି। ୩୨.୬୦ଛାତ୍ରଛାତ୍ରୀ ପାସ୍‌ ହୋଇଥିବାବେଳେ ୫୧% ଫେଲ୍‌ ହୋଇଛନ୍ତି। ୪୨୦ଟି ସ୍ୱତନ୍ତ୍ର ସ୍କୁଲରେ ୨୭୨୬୫ଜଣ ପରୀକ୍ଷା ଦେଇଥିବାବେଳେ ୨୧୯୪୭ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୮୨୧ଜଣ ଫେଲ୍‌ ହୋଇଛନ୍ତି। ପାସ୍‌ ହାର ୮୦.୫୦% ରହିଛି। ୫୮ଟି ଜବାହାର ନବୋଦୟ ବିଦ୍ୟାଳୟରେ ୩୧୬୬ଜଣ ପରୀକ୍ଷା ଦେଇଥିବାବେଳେ ୩୦୭୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୭% ରହିଛି। ୧୧୧ଟି କେନ୍ଦ୍ରୀୟ ବିଦ୍ୟାଳୟରେ ୭୬୪୬ଜଣ ପରୀକ୍ଷା ଦେଇଥିବାବେଳେ ୭୪୪୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୭.୩୦% ରହିଛି। ୨ଟି ସିଟିଏସ୍‌ରେ ୭୯ଜଣ ପରୀକ୍ଷା ଦେଇଥିବାବେଳେ ୭୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୧.୯୦% ରହିଛି।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ତ୍ରିଭେନ୍ଦ୍ରମ ଜୋନ୍‌ରେ ପାସ୍‌ ହାର ସର୍ବାଧିକ ୯୭.୩୨% ରହିଥିବାବେଳେ ଚେନ୍ନାଇ ଜୋନ୍‌ର ପାସ୍‌ ହାର ୯୩.୮୭% ରହିଛି।

ସମ୍ବନ୍ଧିତ ଖବର