ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି। ଅଗଷ୍ଟ ପହିଲାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବାକୁ ଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ କେତେକ ବିଷୟ ସିଲାବସ୍‌ରେ ପରିବର୍ତ୍ତନ କରାଯାଇଛି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ସିଲାବସ୍‌ରେ ପରିବର୍ତ୍ତନ ହୋଇଛି। ୨୦୨୩-୨୪ ଶିକ୍ଷାବର୍ଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଢ଼ାଞ୍ଚା ଅନୁଯାୟୀ ଉକ୍ତ ତିନି ବିଷୟର ସିଲାବସ୍‌ ପ୍ରସ୍ତୁତ କରାଯାଇଛି। ୨୦୨୪ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରଛାତ୍ରୀ ଉକ୍ତ ସିଲାବସ୍‌ ଅନୁଯାୟୀ ପରୀକ୍ଷା ଦେବେ। ସିଏଚ୍‌ଏସ୍‌ଇ ୱେବସାଇଟ୍‌ରେ www.chseodisha.nic.in ନୂତନ ସିଲାବସ୍‌ ଉପଲବ୍ଧ ହୋଇଛି। ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅନ୍ୟ ସମସ୍ତ ବିଷୟ ସିଲାବସ୍‌ରେ ଏଥର କୌଣସି ପରିବର୍ତ୍ତନ ହେବନି। ତେବେ ୨୦୨୩-୨୪ ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ପରିବର୍ତ୍ତିତ ଗଣିତ ସିଲାବସ୍‌ରେ ଶିକ୍ଷାଗ୍ରହଣ କରିବେ। ୨୦୨୩-୨୪ ଶିକ୍ଷାବର୍ଷରେ ଯେଉଁମାନେ ବୋର୍ଡ ପରୀକ୍ଷା ଦେବେ ସେମାନେ ପୁରୁଣା ସିଲାବସ୍‌ ଅନୁଯାୟୀ ପରୀକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

କଳା ଓ ବାଣିଜ୍ୟ ସମେତ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ବ୍ୟତୀତ ଅନ୍ୟ ସମସ୍ତ ବିଷୟ ୨୦୨୩ରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅପରିବର୍ତ୍ତିତ ରହିବ। ଧନ୍ଦାମୂଳକ ବିଭାଗର ସିଲାବସ୍‌ ସମ୍ପର୍କରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ୨୦୨୪ରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୩ଟି ତୈମାସିକ ପରୀକ୍ଷା ବଦଳରେ ଏଣିକି ଦୁଇଟି ଇଣ୍ଟରନାଲ୍‌ ଟେଷ୍ଟ ହେବ। ଇଣ୍ଟରନାଲ୍‌ ଟେଷ୍ଟରୁ ୨୦% ଓ ବାର୍ଷିକ/ଇନ୍‌ଷ୍ଟାଣ୍ଟ ପରୀକ୍ଷା(ଉଭୟ ଥିଓରି ଓ ପ୍ରାକ୍ଟିକାଲ)ରୁ ୮୦% ୱେଟେଜ୍‌କୁ ନେଇ ମୂଲ୍ୟାୟନ କରାଯିବ। ଇଣ୍ଟରନାଲ୍‌ ଟେଷ୍ଟ ସମ୍ପର୍କରେ ପରିଷଦ ପକ୍ଷରୁ ଧାର୍ଯ୍ୟ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆଦିଲ୍ଲୀସ୍ଥିତ ଏନ୍‌ସିଇଆରଟି ଦ୍ବାରା ପ୍ରକାଶିତ ପୁସ୍ତକ ପ୍ରଯୁଜ୍ୟ ହେବ। ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତ ଓ ବିତରଣ ସଂସ୍ଥା ଏହାକୁ ପ୍ରକାଶ କରିବ।