କଟକ : କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ସିବିଏସଇ ଦ୍ବାରା ପରିଚାଳିତ ଦଶମ ପରୀକ୍ଷା ଆୟୋଜନ ପ୍ରସଂଗ ନେଇ ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନାକରିଛନ୍ତି। ଏଥିସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଚଳିତ ବର୍ଷ ବାତିଲ ନିଷ୍ପତ୍ତି ବିରୋଧରେ ବି.କେ.ନନ୍ଦଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ସିବିଏସଇ ଦଶମ ପରୀକ୍ଷାକୁ ବାତିଲ ପାଇଁ ନିଷ୍ପତ୍ତି ନେଇଥିଲେ। ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ଦଶମ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବାପରେ ସିବିଏସଇ ଦଶମ ପରୀକ୍ଷା କରାଯିବା ଉଚିତ େବାଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦଶମ ଶ୍ରେଣୀ ପରୀକ୍ଷା ନ ହେଲେ ବହୁ ମେଧାବୀ ସେମାନଙ୍କ ପରିଶ୍ରମର ଉପଯୁକ୍ତ ଫଳ ପାଇପାରିବେ ନାହିଁ। ସେମାନଙ୍କ ଭବିଷ୍ୟତର ପାଠପଢ଼ା ଓ କ୍ୟାରିଅର ପ୍ରଭାବିତ ହେବ। ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ତେଣୁ ସ୍ବାଭାବିକ ପରିସ୍ଥିତି ଆସିବା ପରେ ଦଶମ ପରୀକ୍ଷା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ କେନ୍ଦ୍ର ସରକାର, ସିବିଏସଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Odisha_high_court.jpg)