ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା, ନିୟମ ପରିବର୍ତ୍ତନ କରିବ ସିବିଏସ୍‌ଇ

ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଭାଗନେଉଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ବ୍ୟାପକ ସୁବିଧା ସୁଯୋଗ ରହିଛି। ପରୀକ୍ଷା, ନାମଲେଖାରେ ଛାଡ଼ ଓ ରିହାତି ସୁବିଧା ରହିଛି। ୨୦୧୬ ଦିବ୍ୟାଙ୍ଗ ଅଧିକାରୀ ଆଇନରେ ଏ ସମ୍ପର୍କରେ ଉଲ୍ଲେଖ ହୋଇଛି। ତଥାପି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍କୁଲ କର୍ତୃପକ୍ଷ, ଅଭିଭାବକ, ଛାତ୍ରଛାତ୍ରୀମାନେ ଅଧିକାର ସମ୍ପର୍କରେ ଅବଗତ ନ ଥିବାରୁ ଉପଯୁକ୍ତ ନ୍ୟାୟ ପାଇପାରୁ ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ନିୟମରେ କିଛିଟା ପରିବର୍ତନ କରିବାକୁ ସିବିଏସ୍‌ଇ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ‌ଯେ ଦିବ୍ୟାଙ୍ଗ ଆଇନ ସମ୍ପର୍କରେ ନା ସ୍କୁଲ କର୍ତୃପକ୍ଷଗୁଡ଼ିକ ସଚେତନ ଅଛନ୍ତି ନା ଛାତ୍ରଛାତ୍ରୀ ଜାଣିଛନ୍ତି। ସେମାନଙ୍କ ଲାଗି ଥିବା ସୁବିଧା ସୁଯୋଗକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ପାଠ୍ୟକ୍ରମ କିମ୍ବା ପରୀକ୍ଷାରେ ଲାଗୁ ହେଉନି। ତାହାକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଅପରେସନ୍‌ ପ୍ରୋସିଜିଓର ପ୍ରସ୍ତୁତ କରାଯାଇଛି। ନିୟମ ସମ୍ପର୍କରେ ସ୍କୁଲ ଶିକ୍ଷା ସହ ଜଡ଼ିତ ସମସ୍ତଙ୍କୁ ସଚେତନ କରାଯିବ। ୨୦୨୦ ପରୀକ୍ଷାରୁ ନୂଆ ନିୟମ ଲାଗୁ କରିବାକୁ ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର