ସିବିଏସ୍‌ଇ ଦ୍ବାଦଶ ମୂଲ୍ୟାୟନ ପ୍ରସଙ୍ଗ: ପ୍ରସ୍ତୁତ ହେବାକୁ ସ୍କୁଲକୁ ନିର୍ଦ୍ଦେଶ

ଭୁବନେଶ୍ବର : ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିକଳ୍ପ ମୂଲ୍ୟାୟନ ନେଇ ସିବିଏସ୍‌ଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନିୟମାବଳୀ କାର୍ଯ୍ୟକାରୀ କରିବା ଦିଗରେ ସ୍କୁଲଗୁଡ଼ିକ ପଦକ୍ଷେପ ନେବାକୁ ବୋର୍ଡ ପକ୍ଷରୁ ଆଜି ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ପରୀକ୍ଷାଫଳ ପ୍ରକାଶ ଲାଗି ସ୍କୁଲସ୍ତରରେ ରେଜଲ୍ଟ କମିଟି ଗଠନ କରାଯାଉ। ଏଥିସହ ମୂଲ୍ୟାୟନ ପ୍ରସ୍ତୁତ ଲାଗି ନିଜର ଆଇଟି ସିଷ୍ଟମ ପ୍ରସ୍ତୁତ କର। ଯାହାଦ୍ବାରା ମୂଲ୍ୟାୟନ କାର୍ଯ୍ୟ ହୋଇପାରିବ ଏବଂ ସମୟ ଅପଚୟକୁ ରୋକା ଯାଇପାରିବ। ସ୍କୁଲଗୁଡ଼ିକୁ ସହାୟତା ଲାଗି ଆସନ୍ତା ସପ୍ତାହରୁ ସିବିଏସ୍‌ଇ ପକ୍ଷରୁ ହେଲ୍ପ-ଡେକ୍ସ ଖୋଲିବ। ଅନ୍ୟ ବୋର୍ଡ ଅଧୀନରେ ଦଶମ ‌ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଦ୍ବାଦଶ ଶ୍ରେଣୀର ୟୁନିଟ୍‌ ଟେଷ୍ଟ, ମିଡ୍‌ ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାର ମାର୍କକୁ ପ୍ରସ୍ତୁତ ରଖ। ୨୧ ତାରିଖଠାରୁ ଏକ ପୋର୍ଟାଲ ଖୋଲାଯିବ, ଯେଉଁଥିରେ ଦଶମ ରୋଲ ନମ୍ବର, ବୋର୍ଡ ଓ କେଉଁ ବର୍ଷ ପରୀକ୍ଷା ଦେଇଥିଲେ ଆଦି ଅପ୍‌ଡେଟ୍‌ କରାଯାଇପାରିବ। ଖୁବ୍‌ଶୀଘ୍ର ଏକ ୱେବିନାର୍ ମାଧ୍ୟମରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଏସ୍‌. ଭରଦ୍ବାଜ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର