ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ବାତିଲ୍‌, ସଠିକ୍‌ ନିୟମ ଅନୁଯାୟୀ ପ୍ରକାଶ ପାଇବ ଫଳ

ପିଲା ଚାହିଲେ ପରବର୍ତୀ ସମୟରେ ପରୀକ୍ଷା ଦେଇପାରିବେ

ଭୁବନେଶ୍ବର, ୧/୬(ଇମିସ): ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ କରାଯାଇଛି। ନୂଆଦିଲ୍ଲୀ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଦେଖାଦେଇଥିବା ଅନିଶ୍ଚିତତା ପରିସ୍ଥିତି ଓ ବିଭିନ୍ନ ଅଂଶୀଦାରଙ୍କଠାରୁ ମିଳିଥିବା ମତାମତ ଆଧାର‌ରେ କେନ୍ଦ୍ର ସରକାର ପରୀକ୍ଷାକୁ ବାତିଲ୍‌ କରିଛନ୍ତି। ଏଥିସହ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବବର୍ଷ ଭଳି ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଚାହାନ୍ତି, ତାହା ହେଲେ ପରିସ୍ଥିତି ଅନୁକୂଳ ହେବା ପରେ ‌ସିବିଏସ୍‌ଇ ପକ୍ଷରୁ ସେମାନଙ୍କୁ ଏହି ବିକଳ୍ପ ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଦ୍ବାଦଶ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌-୧୯ ଶିକ୍ଷାବର୍ଷକୁ ପ୍ରଭାବିତ କରିଥିବାରୁ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ମଧ୍ୟରେ ଭୟ ଲାଗିରହିଛି। ଯାହା ନିଶ୍ଚିତ ଭାବେ ଅନ୍ତ ହେବା ଆବଶ୍ୟକ। ଦେଶରେ କୋଭିଡ୍‌ କାରଣରୁ ଏକ ଅଭୂତପୂର୍ବ ପରିସ୍ଥିତ ସୃଷ୍ଟି ହୋଇଛି। କେତେକ ରାଜ୍ୟ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଜରିଆରେ ପରିସ୍ଥିତିକୁ ଭଲ ଭାବେ ପରିଚାଳନା କରୁଛନ୍ତି। ଆଉ କେତେକ ରାଜ୍ୟରେ ଏବେ ସୁଦ୍ଧା ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ସ୍ଥିତିରେ ଅଭିଭାବକ ଓ ଶିକ୍ଷକମାନେ ପିଲାଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନେଇ ନିଶ୍ଚିତ ଭାବେ ଚିନ୍ତିତ। ତେଣୁ ପିଲାଙ୍କୁ ଏପରି ଚାପଯୁକ୍ତ ପରିସ୍ଥିତିରେ ପରୀକ୍ଷାରେ ବସିବା ଲାଗି ବାଧ୍ୟ କରାଯିବା ଅନୁଚିତ୍‌। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏଦିଗରେ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ। ଆଜି ଦିନରେ ପରୀକ୍ଷା ଆୟୋଜନ କରି ଆମ ଯୁବପିଢ଼ିଙ୍କୁ ବିପଦରେ ପକାଇବା ଅନୁଚିତ୍‌। ଛାତ୍ରଛାତ୍ରୀଙ୍କ ପ୍ରତି ସମସ୍ତ ଅଂଶୀଦାର ସମ୍ବେଦନଶୀଳତା ପ୍ରଦର୍ଶନ କରିବା ଆବଶ୍ୟକ। ସଠିକ୍‌ ନିୟମ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ସ୍ବଚ୍ଛତାର ସହ ସେମାନଙ୍କ ରେଜଲ୍ଟ ପ୍ରକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ବ୍ୟାପକ ବିଚାରବିମର୍ଶ ସହ ଦେଶର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ଏକ ଛାତ୍ର ଅନୁକୂଳ ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ ମତାମତ ଦେଇଥିବାରୁ ରାଜ୍ୟଗୁଡ଼ିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଆଜିର ବୈଠକରେ କେନ୍ଦ୍ର ଗୃହ, ପ୍ରତିରକ୍ଷା, ଅର୍ଥ, ବାଣିଜ୍ୟ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ୍‌, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ ପ୍ରଧାମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍‌ ସଚିବ, ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚଶିକ୍ଷା ସଚିବ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଗତ ମେ’ ୨୧ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୩ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ସାମିଲ ହୋଇଥିଲେ। ଯେଉଁଥିରେ ସିବିଏସ୍‌ଇ ପରୀକ୍ଷା ଆୟୋଜନ ସମ୍ପର୍କରେ ବିଭିନ୍ନ ବିକଳ୍ପ ନେଇ ଆଲୋଚନା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ମତାମତ ‌ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର