ସିବିଏସ୍‌ଇ ଦଶମ ପରୀକ୍ଷା ଫଳ, ଆଦର୍ଶ ବିଦ୍ୟାଳୟରେ ୯୮.୧୨% ପାସ୍‌

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିବିଏସ୍‌ଇ ବୋର୍ଡ ସହ ଅନୁବନ୍ଧିତ ୧୬୦ଟି ଆଦର୍ଶ ବିଦ୍ୟାଳୟର ୯୭୨୭ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ଦଶମ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୩୭୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୮.୧୨% ରହିଛି। ୨୫ ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ୧୫୦ ଜଣ କମ୍ପାର୍ଟମେଣ୍ଟ ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ଅମ୍ରିତ ରାଜ ବିଶ୍ବାଳ ସର୍ବାଧିକ ୯୯.୪୦% ନମ୍ବର ରଖି ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟପ୍‌ର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟର ପ୍ରତୀକ୍ଷା ତ୍ରିପାଠୀ ୯୯.୬% ମାର୍କ ରଖି ଦ୍ୱିତୀୟ ଓ ସେହି ସ୍କୁଲର ଅନୁକୋଲା ଓମ୍‌ ଯୋଶୀ ୯୮.୬% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଶ୍ରେଷ୍ଠ ୧୦ଟି ସ୍ଥାନରେ ୬ ଜଣ ଛାତ୍ର ସ୍ଥାନ ପାଇଛନ୍ତି।

ମୋଟ ୮୯ ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫୮୬ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୨ ହଜାର ୯୬୮ ଜଣ ୭୦%ରୁ ଅଧିକ, ୪୬୯୫ ଜଣ ୬୦%ରୁ ଅଧିକ ମାର୍କ ରଖିଛନ୍ତି। ୫୦.୦୬% ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ଆଦର୍ଶ ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ୪୧୪୮ ଛାତ୍ରଙ୍କ ମଧ୍ୟରୁ ୪୦୬୨ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୭.୯୩% ହୋଇଛି। ଯେତେବେଳେ କି ୫୪୧୦ ଛାତ୍ରୀଙ୍କ ମଧ୍ୟରୁ ୫୩୧୬ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୮.୨୬% ରହିଛି। ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଗତବର୍ଷ ତୁଳନାରେ ଛାତ୍ରଛାତ୍ରୀଙ୍କ ପାସ୍‌ହାର ବହୁତ ଭଲ ହୋଇଛି। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ସଫଳ ହୋଇଛି। ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପରି ଇଂରାଜୀ ମାଧ୍ୟମରେ ବି ପିଲାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଆଦର୍ଶ ବିଦ୍ୟାଳୟକୁ ଆଗକୁ ନେବା କ୍ଷେତ୍ରରେ ଏହା ସହାୟକ ହେବ।

ସମ୍ବନ୍ଧିତ ଖବର