ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ଲାଗିନି ସିସିଟିଭି

ଭୁବନେଶ୍ବର: ଯୁକ୍ତ୨ ଥିଓରି ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେଲ୍‌ଫ ଫାଇନାନ୍ସିଂ ସ୍କୁଲକୁ ବାରମ୍ବାର ତାଗିଦ୍‌ କରାଯାଇଛି। ତା’ ସତ୍ତ୍ବେ ବି ଏମିତି କିଛି ସ୍କୁଲ ରହିଛନ୍ତି ଯେଉଁମାନେ ସିସିଟିଭି ଲଗାଉ ନାହାନ୍ତି।ତେଣୁ ଆଜି ପରିଷଦର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୁଣିଥରେ ଚିଠି ଲେଖିଛନ୍ତି। ଏଥିରେ ଆସନ୍ତା ୧୮ ତାରିଖ ସୁଦ୍ଧା ସିସିଟିଭି ଲଗାଇବା ସହ ଏହାର ଲିଙ୍କ୍‌ ସାମ୍‌ସ ଇ-ସ୍ପେସ୍‌ରେ ଦାଖଲ କରିବାକୁ କୁହାଯାଇଛି। ସେହିପରି ଯେଉଁଠି ସିସିଟିଭି ନଥିବ ସେହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଓ ମାର୍କ ଫଏଲ୍‌ ଗ୍ରହଣ କରାଯିବ ନାହିଁ। ଏହାବାଦ୍ ଧାର୍ଯ୍ୟ ସମୟରେ ସିସିଟିଭି ନ ଲଗାଇଲେ ଉକ୍ତ ପରୀକ୍ଷା କେନ୍ଦ୍ରକୁ ବାତିଲ୍‌ କରି ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ।

ଅନ୍ୟପକ୍ଷରେ ଏପ୍ରିଲ ୨୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଏବଂ ମେ’ ୫ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବ। ଧନ୍ଦାମୂଳକ ବିଭାଗର ପରୀକ୍ଷା ମଧ୍ୟ ମେ’ ୯ରୁ ଆରମ୍ଭ ହେବ। ସମସ୍ତ ବିଷୟର ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ। ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷର ସଂକ୍ଷିପ୍ତ ସିଲାବସ୍‌ ଆଧାରରେ ପ୍ରଶ୍ନପତ୍ରଗୁଡ଼ିକରେ ପ୍ରଶ୍ନ ଆସିବ। ୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ରେ ଜାରି ବିଜ୍ଞପ୍ତି ଅନୁଯାୟୀ ସମସ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରରେ ୩ ପାଟର୍ନର ପ୍ରଶ୍ନ ରହିବ। ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ ୫୦ ପ୍ରତିଶତ ମାର୍କ ଏକ ନମ୍ବର ବିଶିଷ୍ଟ ତଥା ମଲଟି ଚଏସ୍‌ ପ୍ରଶ୍ନ, ୩୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା ୨/୩ ମାର୍କର ପ୍ରଶ୍ନ ଏବଂ ୨୦ ପ୍ରତିଶତ ମାର୍କ ଦୀର୍ଘ ଉତ୍ତର ମୂଳକ ତଥା ୫ ମାର୍କ ବିଶିଷ୍ଟ ରହିବ। ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା। ତାହାକୁ ନଜରରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରଶ୍ନପତ୍ରର ଢାଞ୍ଚା ପରିଷଦ ୱେବସାଇଟ୍‌ରେ ଛଡ଼ାଯାଇଥିବା ନେଇ ପରୀକ୍ଷା‌ ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଏପ୍ରିଲ ୪ରୁ ଆରମ୍ଭ ହୋଇଥିବା ପ୍ରାକ୍ଟିକାଲ ପରୀକ୍ଷା ଗତକାଲି ଶେଷ ହୋଇଛି। ସୁରୁଖୁରରେ ପରୀକ୍ଷା ଶେଷ ହୋଇଥିବା ବେଳେ କଲେଜଗୁଡ଼ିକ ଆସନ୍ତା ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କ ଫଏଲ୍‌ ଓ ଉତ୍ତର ଖାତା ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ପ୍ରାକ୍ଟିକାଲ ପରୀକ୍ଷାର ସିସିଟିଭି ଫୁଟେଜ୍‌ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର