ରାଉରକେଲା : ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଆନ୍ତଃରାଜ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ସାରା ସହରରେ ଲାଗୁଛି ସିସି କ୍ୟାମେରା। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆର୍ଏସ୍ସିଏଲ୍) ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଠିକା ସଂସ୍ଥା ‘ଭାରତ ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍ (ଭେଲ୍)’ ସିସି କ୍ୟାମେରା ଲଗାଇବା କାମ ନେଇଛି। ସହରର ପ୍ରମୁଖ ଛକ ସମେତ ମୋଟ ୧୧୦ଟି ସ୍ଥାନରେ ୬୭୫ଟି ସିସି କ୍ୟାମେରା ଲାଗିବାକୁ ସ୍ଥିର ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦୦ ଟି କ୍ୟାମେରା ଲାଗି ସାରିଛି। ଅବଶିଷ୍ଟ ୩୭୫ ଟି କ୍ୟାମେରା ମାର୍ଚ୍ଚ ଶେଷ ସୁଦ୍ଧା ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରଖାଯାଇଛି।
ସିସି କ୍ୟାମେରା ପରିଚାଳନା ପାଇଁ ରାଉରକେଲା ପୁଲିସ ମୁଖ୍ୟାଳୟ ଓ ହକି ଛକସ୍ଥ ନିର୍ମାଣଧୀନ ସ୍ମାର୍ଟସିଟି ପ୍ରଶାସନିକ କୋଠାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) ରହିବ। ଯେଉଁଠାରେ ପ୍ରାୟ ୨୪ ଜଣ କର୍ମଚାରୀ ସିଫ୍ଟ ଅନୁଯାୟୀ ୨୪ ଘଣ୍ଟିଆ କାର୍ଯ୍ୟ କରିବେ। ସ୍ମାର୍ଟସିଟି ପ୍ରଶାସନିକ ବିଲ୍ଡିଂରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରୁମ୍ କାମ ନ ସରିବା ପର୍ଯ୍ୟନ୍ତ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟରେ ସିସି ଟିଭି ନିୟନ୍ତ୍ରଣ କରାଯିବ ବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ କଣ୍ଟ୍ରୋଲ ରୁମ୍ ସ୍ମାର୍ଟସିଟି ପ୍ରଶାସନିକ ବିଲ୍ଡିଂକୁ ସ୍ଥାନ୍ତାନ୍ତର କରାଯିବ। ସେମିତି ୧୧୦ଟି ସ୍ଥାନରେ ଲାଗିଥିବା ସିସି ଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଟିଏମ୍ଏସ୍) ସ୍ଥାପନ କରାଯିବ। ଏଥି ମଧ୍ୟରୁ ୭ଟି ସ୍ଥାନରେ ଆଇଟିଏମ୍ଏସ୍ କାର୍ଯ୍ୟ ଶେଷ ହୋଇଛି। ୪ଟି ସ୍ଥାନରେ କାମ ଚାଲିଛି। ଅବଶିଷ୍ଟ ୨ଟି ସ୍ଥାନରେ ଆଇଟିଏମ୍ଏସ୍ କାମ ବାକି ରହିଛି। ସିସି କ୍ୟାମେରା ଲଗାଇବାକୁ ସହରର ପାଖାପାଖି ୧୩୦ କି.ମି. ପରିଧି ମଧ୍ୟରେ କେବୁଲ ବିଛା କାମ ଚାଲିଛି। ଅଦ୍ୟାବଧି ୧୧୦ କି.ମି. କେବୁଲ ବିଛା କାମ ଶେଷ ହୋଇଛି।
ସେମିତି ଛେଣ୍ଡ କଲୋନି କନକ୍ମଞ୍ଜରି ଛକ, ହକି ଷ୍ଟାଡିୟମ ଛକ, ପ୍ରଧାନପାଲୀ ଛକ, ବିଏସ୍ଏନ୍ଏଲ୍ ଛକ, ବିଜୁ ପଟ୍ଟନାୟକ ଛକ, ରିଂ ରୋଡ ସ୍ପେସ୍ ଛକ, ରାଉରକେଲା ବିମାନବନ୍ଦର ନିକଟସ୍ଥ ପୋଲ୍ରେ ସିସି କ୍ୟାମେରା ଲଗାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଛକ, ପାନପୋଷ ଗାନ୍ଧିଛକ, ହକି ଛକ, ଉଦିତନଗର, ଏସ୍ଟିଆଇ, ଆଇଟିଆଇ, ଡେଲିମାର୍କେଟ, ବାସନ୍ତୀକଲୋନି, ବନ୍ଧମୁଣ୍ଡାରୋଡ, ସାରନଗରୀ, ରେଲୱେ କଲୋନି ଇସ୍ପାତ ସହରାଞ୍ଚଳର ପ୍ରମୁଖ ଛକରେ ସିସି କ୍ୟାମେରା ଲଗାଯାଉଛି। ସିସି କ୍ୟାମେରା ସୁରକ୍ଷା, ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ। ଏଥିସହ ଟ୍ରାଫିକ୍ ନିୟନ୍ତ୍ରଣରେ ମଧ୍ୟ ସେତିକି କାର୍ଯ୍ୟ କରିବ। ରେଡ୍ ଲାଇଟ୍ ଭାଇଓଲେସନ୍ ଡିଟେକ୍ସନ (ଆର୍ଏଲ୍ଭିଡି), ସ୍ପିଡ୍ ଭାଇଓଲେସନ୍ ଡିଟେକ୍ସନ ସିଷ୍ଟମ (ଏସ୍ଭିଡିଏସ୍), ଅଟୋମେଟିକ୍ ନମ୍ବର ପ୍ଲେଟ ରେକଗ୍ନାଇଜେସନ୍ ସିଷ୍ଟମ (ଏଏନ୍ପିଆର୍), ଫେସ୍ ରେକଗ୍ନାଇଜେସନ୍ ସିଷ୍ଟମ (ଏଫ୍ଆର୍ଏସ୍) ଓ ନିୟମଭଙ୍ଗକାରୀ ପାଇଁ ଇ-ଚାଲାଣ ସିଷ୍ଟମ କାର୍ଯ୍ୟ କରିବ।
ଉଲ୍ଲେଖଯୋଗ୍ୟ, ଗତ ୨୦୧୮ରେ ସହରରେ ୧୧୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ସ୍ମାର୍ଟସିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗତ ୨୦୧୯ ଜାନୁଆରି ଆମେରିକା ବେସ୍ଡ କମ୍ପାନୀ ‘ହନି ୱେଲ୍’ ସମେତ ଅନ୍ୟ ଦୁଇଟି ଠିକା ସଂସ୍ଥାକୁ ପରୀକ୍ଷାମୂଳକ ଭାବେ ସିସି କ୍ୟାମେରା ଲଗାଇବା କାମ ଦିଆଯାଇଥିଲା। ଦୁଇଟି ସଂସ୍ଥା ହନୁମାନବାଟିକା ଛକ ଓ ସାରନା ଛକରେ ସିସି କ୍ୟାମେରା ପରୀକ୍ଷାମୂଳକ ଭାବେ ଲଗାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତିନିଟି ସଂସ୍ଥାର କାମ ସନ୍ତୋଷଜନକ ନଥିବାରୁ ସିସି କ୍ୟାମେରା ପ୍ରକଳ୍ପ ବାତିଲ ହୋଇଥିଲା।