ଆଦାନି ଦ୍ବାରା ଓପିଜିସିର ୪୯% ଅଂଶଧନ ଖରିଦ ପ୍ରସ୍ତାବକୁ ସିସିଆଇ ଅନୁମୋଦନ

ଭୁବନେଶ୍ବର: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ (ଓପିଜିସି)ରେ ଥିବା ଆମେରିକୀୟ କଂପାନି ଏଇଏସ୍ କର୍ପୋରେସନର ୪୯ ପ୍ରତିଶତ ଅଂଶଧନକୁ ଖରିଦ କରିବାକୁ ଆଦାନି ପାୱାରର ପ୍ରସ୍ତାବକୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ମଂଜୁର କରିଛି ।

ଏହି ଖରିଦ ପାଇଁ ଗତ ମାସରେ ଏଇଏସ୍ ଓ ଆଦାନି ପାୱାର ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଥିଲା । ଆଦାନୀ ପ୍ରାୟ ୧୦୨୦ କୋଟି ଟଙ୍କାରେ କିଣିବ ଓ ନଗଦ ରାଶିରେ ଏହି କିଣାବିକା ହେବ। ଆସନ୍ତା ୬ ମାସ ମଧ୍ୟରେ ଏହି ଅଧିଗ୍ରହଣ ସଂପୂର୍ଣ୍ଣ ହେବ । ତେବେ ଓପିଜିସିରେ ରାଜ୍ୟ ସରକାରଙ୍କ ୫୧% ଅଂଶଧନ ବଜାୟ ରହିବ । ଏହା ବରିଷ୍ଠ ଅଂଶଧନ ହୋଇଥିବାରୁ ଓପିଜିସିରେ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣ ରହିବ ।

ଏହି ଚୁକ୍ତି ସଂପୂର୍ଣ୍ଣ ହେବା ପରେ ଦୀର୍ଘ ୨୨ ବର୍ଷ ଧରି ଓପିଜିସି ସହ ଏଇଏସର ଥିବା ସମ୍ପର୍କ ଛିନ୍ନ ହୋଇଛି । ୧୯୯୨ରେ ଏହି ଆମେରିକୀୟ କଂପାନି ଭାରତ ଆସିଥିଲା ଓ ୧୯୯୮ରେ ଏହା ଓପିଜିସିର ଅଂଶଧନ କିଣିଥିଲା । ଓପିଜିସିକୁ ୧୯୮୪ ମସିହା ନଭେମ୍ବର ୧୪ରେ ସ୍ଥାପନ କରାଯାଇଥିଲା ।

ଚଳିତ ବର୍ଷ ରାଜ୍ୟର ବିଦ୍ୟୁତ କ୍ଷେତ୍ରରେ ପ୍ରବେଶ କରିବାରେ ଆଦାନି ହେଉଛି ଦ୍ବିତୀୟ ବଡ଼ ଘରୋଇ ସଂସ୍ଥା। ଏହା ପୂର୍ବରୁ ଟାଟା ପାୱାର ପକ୍ଷରୁ ସେସୁକୁ ଅଧିଗ୍ରହଣ କରାଯାଇଥିଲା । ଏହା ପୂର୍ବରୁ ଅଦାନି ଓଡ଼ିଶାରେ କୋଲ ବ୍ଲକ ପାଇଥିବାବେଳେ ଓ ଧାମରା ବନ୍ଦରକୁ ଅଧିଗ୍ରହଣ କରିଛି ।

ସମ୍ବନ୍ଧିତ ଖବର