ଭୁବନେଶ୍ୱର : ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା କମିଟି ବୈଠକ ଆଜି ପୁଲିସ ଡିଜି ତଥା କମିଟି ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡିଜିଙ୍କ କ୍ୟାମ୍ପ ଅଫିସ ପରିସରରେ ଆୟୋଜିତ ଏହି ବୈଠକରେ ରେଳଯାତ୍ରୀ ଓ ରେଳ ସମ୍ପତ୍ତି ସୁରକ୍ଷା ସହ ଆଇନ ଶୃଙ୍ଖଳା, ବିପର୍ଯ୍ୟୟ ପରିଚାଳନା, ଅନ୍ତର୍ଘାତୀ କାର୍ଯ୍ୟ, ଅପରାଧ ବାମପନ୍ଥୀ କାର୍ଯ୍ୟକଳାପ ଉପରେ ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଶା କାରବାରକୁ ନେଇ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ପାଇଁ ଉଭୟ ଜିଆର୍ପି (ରେଳବାଇ ପୁଲିସ) ଓ ଆରପିଏଫ୍(ରେଳ ସୁରକ୍ଷା ବଳ)ଙ୍କୁ ନେଇ ହ୍ବାଟ୍ସ୍ ଆପ୍ ଗ୍ରୁପ୍ ତିଆରି ହେବ। ରାଉରକେଲା ଓ କଟକ ରେଳବାଇ ଅଧୀନରେ ହେବାକୁ ଥିବା ଏହି ଗ୍ରୁପ୍ ନିଶା କାରବାର ସହ ପଶୁ ଓ ମାନବ ଚାଲାଣ, ସୁନା, ରୁପା ଓ ଅନ୍ୟାନ୍ୟ ଧାତୁ ଚାଲାଣ ସମେତ ସମସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସୂଚନା ଆଦାନ ପ୍ରଦାନ ପାଇଁ କାର୍ଯ୍ୟ କରିବ। ରେଳରୋକକୁ ନେଇ ଆରପିଏଫ୍ କରିଥିବା ସମସ୍ତ ମାମଲା ସମ୍ବନ୍ଧରେ ରେଳବାଇ ପୁଲିସକୁ ସୂଚନା ପ୍ରଦାନ କରିବ। ବିଳମ୍ବିତ ରାତ୍ରୀରେ ଆସୁଥିବା ଟ୍ରେନ୍ କିମ୍ବା ବାରମ୍ବାର ଅପରାଧ ଘଟୁଥିବା ଟ୍ରେନ୍ରେ ଟ୍ରେନ୍ ଗାର୍ଡ ନିଯୁକ୍ତି ହେବା ସହ ତାଙ୍କୁ ସିୟୁଜି (କ୍ଲୋଜ୍ଡ୍ ୟୁଜର୍ସ ଗ୍ରୁପ୍) ମୋବାଇଲ ଫୋନ୍ ଯୋଗାଇ ଦେବାପାଇଁ ଯୋଜନା ହୋଇଛି। ବିଭିନ୍ନ ସମୟରେ ହେଉଥିବା ବନ୍ଦ ପାଳନର ଯଥେଷ୍ଟ ପୂର୍ବରୁ ଆରପିଏଫ୍, ଜିଆରପି ଓ ରେଳବାଇ କର୍ତ୍ତୃପକ୍ଷ ମିଳିତ ଭାବେ ସଜାଗ ହେବାକୁ ନିଷ୍ପତ୍ତି ହୋଇଛି। ରେଳରୋକ କିଭଳି ହେବ ନାହିଁ ଆଲୋଚନା ମାଧ୍ୟମରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବାମପନ୍ଥୀ କାର୍ଯ୍ୟକଳାପ ପ୍ରତିହତ କରିବା ତଥା ଗୁଇନ୍ଦା ସୂଚନା ମଜଭୁତ କରିବା ଦିଗରେ ଜିଆର୍ପି ଓ ଆରପିଏଫ୍ ଉଭୟ ଅଧିକାରୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଯୋଜନା ହୋଇଛି। ସେହିଭଳି ଖୁବ୍ ଶୀଘ୍ର ସମସ୍ତ ଷ୍ଟେସନ୍ରେ ଯଥେଷ୍ଟ ସିସିଟିଭି କ୍ୟାମେରା ଓ ବ୍ୟାଗେଜ୍ ସ୍କାନର୍ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ଆନ୍ତଃରାଜ୍ୟ ‘ଜିରୋ ଏଫ୍ଆଇଆର’ ମାମଲାଗୁଡ଼ିକ ଏସ୍ପିଙ୍କ ଜରିଆରେ ସମ୍ପୃକ୍ତ ଥାନାମାନଙ୍କୁ ସ୍ଥାନାନ୍ତର କରାଯିବ। ଫଳରେ ଅନ୍ୟ ଜିଲ୍ଲାର ମାମଲା ଯୋଗୁ ଆଗକୁ ଆଗେଇ ପାରୁ ନଥିବା ତଦନ୍ତରେ ସୁଧାର ଆସିବ ବୋଲି ବୈଠକରେ ଆଶାବ୍ୟକ୍ତ କରାଯାଇଛି। ପୂର୍ବରୁ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ୍ରେ ସିସିଟିଭି କ୍ୟାମେରା ସ୍ଥାପନ ହୋଇଥିବା ବେଳେ ଆଗକୁ ଅନ୍ୟ ସମସ୍ତ ଟ୍ରେନ୍ର କୋଚ୍ରେ ସିସିଟିଭି କ୍ୟାମେରା ସ୍ଥାପନ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଜାଗା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ କେତେକ ଜିଆର୍ପି ଥାନା ମଞ୍ଜୁର ହୋଇଥିଲେ ମଧ୍ୟ ନିର୍ମାଣ ହୋଇପାରୁନି। କେତେକ ଜାଗାରେ କ୍ବାର୍ଟର୍ସ ଓ ଅନ୍ୟ କେତେକ ଭିତ୍ତିଭୂମି ଅଭାବରୁ ପୁଲିସ କର୍ମଚାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ରେଳବାଇ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବା ସହ ଭିତ୍ତିଭୂମି ଉନ୍ନତି କରିବା ପାଇଁ କୁହାଯାଇଛି। ଅନ୍ୟପଟେ ବିଭିନ୍ନ ଜିଆର୍ପି ଅଞ୍ଚଳକୁ ପୁନଃସଂଗଠିତ କରାଯାଇଛି। ଏଣୁ ନିର୍ଦ୍ଧାରିତ ସୀମା ପରିବର୍ତ୍ତନ ହୋଇଛି। ଏହି ନୂତନ ଧାର୍ଯ୍ୟ ଅଞ୍ଚଳ ସ୍ପଷ୍ଟୀକରଣ ପାଇଁ ସମ୍ପୃକ୍ତ ଜିଆର୍ପିମାନେ ପ୍ରସ୍ତାବ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ୍ ଯାତ୍ରୀଙ୍କ ସହ ସମ୍ପତ୍ତି ସୁରକ୍ଷା ନେଇ ବିଭାଗ ସଜାଗ ଅଛି ଏବଂ ଆଗକୁ ଆବଶ୍ୟକ ମୁତାବକ ପଦେକ୍ଷପ ଗ୍ରହଣ କରାଯାଉଛି ବୋଲି ଡିଜି କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏସ୍ଆଇବି ଯୁଗ୍ମ ଉପନିର୍ଦ୍ଦେଶକ ପିକେ ସେଠୀ, ଆରପିଏଫ୍ ଆଇଜି ପୂର୍ବତଟର ଅତୁଲ ପାଠକ, ଗାର୍ଡେନ୍ ରିଚ୍ର ଏସ୍.ସି. ପର୍ହି ଓ ବିଳାଶପୁରର ଆର.ଏସ୍. ଚୌହାନ୍, ରାଉରକେଲା ରେଳବାଇ ଏସ୍ପି ଏ.ପି. ସ୍ବାଇଁ, କଟକ ରେଳବାଇ ଏସ୍ପି ଆର.ଏନ୍. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।