ଲଘୁ ଖଣିଜ ଲୁଟ୍‌ ଜଗିବ ସିସି କ୍ୟାମେରା, ୧୫ ଦିନ ବ୍ୟବଧାନରେ ତହସିଲଦାର କରିବେ ଯାଞ୍ଚ

ସ୍କ୍ବାଡ୍‌, ସୁରକ୍ଷା କର୍ମୀ ନିୟୋଜିତ ହେବେ, ଡିଏସ୍‌ପି ଓ ଉପଜିଲ୍ଲାପାଳ ନିୟନ୍ତ୍ରଣ କରିବେ

ଯାଜପୁର/ସଦର: ଲଘୁ ଖଣିଜ ସମ୍ପଦ ଲୁଟେରାଙ୍କ ଭୂସ୍ବର୍ଗ ପାଲଟିଛି ଯାଜପୁର ଜିଲ୍ଲା। ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ‌ବେଳେ ପରିବେଶ ଧ୍ବଂସ ମୁଖରେ। ଏହାକୁ ନେଇ ପରିବେଶବିତ୍ ଓ ଗଣମାଧ୍ୟମ ଲଗାତର ସ୍ବର ଉଠାଇ ଆସୁଛନ୍ତି। ଲଘୁ ଖଣିଜ ସମ୍ପଦ ଚୋରା କାରବାର ରୋକିବା ପାଇଁ ସରକାର ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କ୍ରସରରେ ସିସିଟିଭି ଲାଗିବ ଏବଂ ୧୫ ଦିନ ବ୍ୟବଧାନରେ ତହସିଲଦାର ଏହାକୁ ଯାଞ୍ଚ କରିବେ। ଏଥିସହ ସ୍କ୍ବାଡ୍‌ ଏବଂ ସୁରକ୍ଷା କର୍ମୀ ଜଗିବେ ବୋଲି ସ୍ଥିର ହୋଇଛି।

ପୁଲିସ ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ(ଆଇନଶୃଙ୍ଖଳା) ଗତ ଏପ୍ରିଲ ୮ତାରିଖରେ ଯାଜପୁର ଏସ୍‌ପି ଅଫିସରେ ଅବସ୍ଥାପିତ (ଡିଆଇବି) ଡିଏସ୍‌ପି ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ନୋଡାଲ୍ ଅଫିସର ଭାବେ ବେଆଇନ୍ ଖଣି କାରବାର ରୋକିବା ପାଇଁ ଦାୟିତ୍ବ ପ୍ରଦାନ କରିଛନ୍ତି। ବିଶେଷକରି କଳାପଥର(ଗ୍ରାନାଇଟ୍) ଚୋରା କାରବାର ରୋକିବା, ବେଆଇନ୍ ଖାଦାନ ଓ କ୍ରସରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ଆର୍ମ ଷ୍ଟ୍ରାଇକିଂ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଫୋର୍ସମେଣ୍ଟ ଅଫିସର ଭାବେ ଉପଜିଲ୍ଲାପାଳ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ରା‌ଠୋର ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଚିଠିକୁ ଭିତ୍ତିକରି ଏହି ଟିମ୍‌ରେ ‌ ଉପଜିଲ୍ଲାପାଳଙ୍କ ସମେତ ଧର୍ମଶାଳା ଓ ଦର୍ପଣ ତହସିଲଦାର, କଳିଙ୍ଗନଗର ପଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ଡାଳିଯୋଡ଼ା ରେଞ୍ଜରଙ୍କ ସମେତ ଧର୍ମଶାଳା, ଜେନାପୁର ଓ ବଡ଼ଚଣା ଥାନା ଅଧିକାରୀଙ୍କୁ ସାମିଲ କରାଯାଇଛି। ଧର୍ମଶାଳା ଓ ଦର୍ପଣ ତହସିଲ ଅଞ୍ଚଳରେ କଳାପଥର ପାହାଡ଼, ମୋରମ ଓ ମାଙ୍କଡ଼ାପଥର ଚୋରି ରୋକିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷକରି, କଳାପଥର ପାହାଡ଼ ଉପରେ ଫୋକସ୍ କରାଯାଇଛି। ବେଆଇନ୍ କ୍ରସର ଓ ଖଣିଖାଦାନ ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି। କ୍ରସର ଗୁଡ଼ିକ ସ୍ଥାପନ ଓ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ କାଗଜପତ୍ର ସହିତ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ରସର ଗୁଡ଼ିକୁ ପଥର ନେଇ ଯିବାଆସିବା କରୁଥିବା ଗାଡ଼ିଗୁଡ଼ିକର ନମ୍ବର ‌ପଞ୍ଜୀକରଣ କରିବା ସହିତ ତାହାର ସିସି କ୍ୟାମେରା ଫୁଟେଜ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କ୍ରସରଗୁଡ଼ିକ କେଉଁଠାରୁ କେତେ ପରିମାଣର ପଥର ନେଇଛନ୍ତି ଓ କେତେ ପଥର ଯୋଗାଣ କରିଛନ୍ତି ତାହାର ସବିଶେଷ ତଥ୍ୟ ପଞ୍ଜୀକରଣ କରିବାକୁ ବାଧ୍ୟ। ଚୋରା ଓ ବେଆଇନ୍ କଳାପଥର ମୁଖ୍ୟତଃ କ୍ରସର ଜରିଆରେ ବାହାରକୁ ଚାଲାଣ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳ ୧୦ଟି ନୀତି ନିର୍ଦ୍ଦାରଣ କରାଯାଇଛି। ସିସି କ୍ୟାମେରା ଓ ପଞ୍ଜୀକରଣକୁ ୧୫ଦିନରେ ଥରେ ତନଖି କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର