ଆରଟିଓ ଅଫିସରେ ଦଲାଲ୍ ପଶିଲେ ଥାନାରେ ଦିଆଯିବ ଏତଲା: ଜାରିହେଲା ହେଲ୍ପ ଲାଇନ୍ ନମ୍ବର, କିଓସ୍କ ମେସିନ୍‌ ଓ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ଆରଟିଓଙ୍କୁ ସେମାନଙ୍କ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ  ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ ପକ୍ଷରୁ ଦଲାଲଙ୍କୁ ହଟାଇବା ଲାଗି ଗିରଫଦାରୀ ଆରମ୍ଭ ହୋଇଥିଲା।

ଆଜି ରାଜ୍ୟ ପରିବହନ କମିସନର ସଂଜୀବ ପଣ୍ଡା  ରାଜ୍ୟର ସବୁ ଆରଟିଓଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ଏହି ଚିଠିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ମଧସ୍ଥ ଓ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସରେ ପଶୁଥିବା ଦଲାଲଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ମଧ୍ୟ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ସମସ୍ତ ଆରଟିଓ ଅଫିସ୍‌ରେ କିଓସ୍କ ମେସିନ୍‌ ଓ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଆରଟିଓ ଚାହିଁଲେ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ଜନସେବାରେ ଲଗାଇ ପାରିବେ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲପ ଲାଇନ ନମ୍ବର ଜାରି କରାଯାଇଛି। ହେଲପ୍‌ ଡେସ୍କ ନମ୍ବର-୧୮୦୦ ୩୪୫ ୧୦୭୩ରେ ଅଭିଯୋଗ ଗ୍ରହଣ କରାଯିବ। ଆରଟିଓ ଅଫିସ୍‌ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍‌ ବା ଘର ଉଚ୍ଛେଦ କରାଯିବାକୁ ଏବଂ କର୍ମଚାରୀଙ୍କ ପାଇଁ  ବିଭିନ୍ନ ରଙ୍ଗର ପରିଚୟ ପତ୍ର ବାଧ୍ୟତାମୂଳକ କରିବାକୁ ନିର୍ଦେଶ ଦିଆଯାଇଛି।

ସରକାରୀ କର୍ମଚାରୀ  ନୀଳ ଫିତା ବିଶିଷ୍ଟ ପରିଚୟ ପତ୍ର, ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କ ସବୁଜ ଫିତାର ପରିଚୟ ପତ୍ର ଓ ସ୍ମାର୍ଟ ଚିପ୍‌ କମ୍ପାନି କର୍ମଚାରୀ  ହଳଦିଆ ଫିତାର ପରିଚୟ ପତ୍ର ପିନ୍ଧିବେ ବୋଲି ନିଷ୍ପତ୍ତି ହୋଇଛି।  ଏଥିସହ ରାଜ୍ୟର ସବୁ ଆରଟିଓ  ଅଫିସ୍‌ରେ ମିଳୁଥିବା ସେବା ଓ ଦେୟର ତାଲିକା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର