ଯୁକ୍ତ୨ ପରୀକ୍ଷାକୁ ନେଇ କଲେଜଗୁଡ଼ିକୁ ପୁଣି ଚିଠି : ବହୁ ‌କଲେଜରେ ଏଯାଏ ଲାଗିନି ସିସିଟିଭି, ୨୪ ଘଣ୍ଟା ସମୟ ଦେଲେ ବିଭାଗୀୟ କର୍ତ୍ତୃପକ୍ଷ

ଭୁବନେଶ୍ବର : ୧୭ ଦିନ ପରେ ଯୁକ୍ତ୨ ପ୍ରାକ୍ଟିକାଲ। ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ୨ ତାରିଖ‌ରେ ସମସ୍ତ ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ ଦିଆଯାଇଥିଲା। ଜାନୁଆରି ୭ ସୁଦ୍ଧା ସିସିଟିଭି ଲଗାଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଅଧିକାଂଶ ପରୀକ୍ଷା କେନ୍ଦ୍ର ଏଦିଗରେ ପଦକ୍ଷେପ ନେଇନାହାନ୍ତି। ଯେଉଁଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ କଲେଜଗୁଡ଼ିକୁ ପୁଣିଥରେ ଚିଠି ଲେଖାଯାଇଛି। କର୍ତ୍ତୃପକ୍ଷ କଲେଜ ଗୁଡ଼ିକୁ ଏଥିପାଇଁ ଆଉ ୨୪ ଘଣ୍ଟା ସମୟ ଦେଇଛନ୍ତି ଏବଂ ଜାନୁଆରି ୧୦ ଅର୍ଥାତ ଶୁକ୍ରବାର ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ଲଗାଇବାକୁ ନିର୍ଦେଶ ଦିଆଯାଇଛି।

alt.com.ng

ପରିଷଦର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା କେନ୍ଦ୍ରର ସମସ୍ତ ହଲ୍‌, ଅଫିସ୍‌ ରୁମ୍‌, ସିଲ୍‌ ପ୍ରଶ୍ନପତ୍ର ରହିଥିବା ସ୍ଥାନ, ଯେଉଁଠାରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବ, ପ୍ରବେଶ ପଥର ମୁଖ୍ୟ ଫାଟକ ତଥା ଯାଞ୍ଚସ୍ଥଳରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଏହାବ୍ୟତୀତ କ୍ୟାମ୍ପସ ପରିସର, କ୍ଲାସରୁମ୍‌ରୁ ଅଫିସ୍‌ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା‌ରେ ବି ସିସିଟିଭି ଲାଗିବ। ଏଥିସହ କ୍ୟାମ୍ପସର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ, ଲୋକାରଣ୍ୟ ଅଞ୍ଚଳରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ସମୟରେ ବିଦ୍ୟୁତ୍‌ ବିଭ୍ରାଟ ପରି ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ ରହିଛି। ଏହାଦ୍ବାରା ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ବିଦ୍ୟୁତ୍‌ ବିଭ୍ରାଟ ଦେଖାଦିଏ, ତେବେ ଅତି କମ୍‌ରେ ୫ଘଣ୍ଟା ପାଇଁ ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥା କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ସିସିଟିଭି ଲଗାଇବା ସମ୍ପର୍କରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ସାମ୍‌ସ ଇ-ସ୍ପେସ୍‌ରେ ଥିବା ସିସିଟିଭି ଲିଙ୍କ୍‌ ମାଧ୍ୟମରେ ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଏଥିସହ ପରୀକ୍ଷା ଭିତ୍ତିଭୂମି ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବେ। ଏହି ସମୟ ମଧ୍ୟରେ ଯଦି ‌କୌଣସି ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ତଥ୍ୟ ନ ଦିଅନ୍ତି ସେଠାରେ ପରୀକ୍ଷା କେନ୍ଦ୍ର/ଉପକେନ୍ଦ୍ର ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର