ଶ୍ରୀମନ୍ଦିରରେ ସିସିଟିଭି ବ୍ୟବସ୍ଥା: ଅସହାୟ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ପରେ ଏବେ ମନ୍ଦିର ସୁରକ୍ଷାକୁ ନେଇ ଭକ୍ତ, ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଏହାରି ଭିତରେ ଶ୍ରୀମନ୍ଦିର ସୁରକ୍ଷାରେ ଥିବା ଘଳିଆ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥାର ଆଉ ଏକ ବଡ଼ ସମସ୍ୟା ହେଉଛି, ଏବେ ବଡ଼ ମନ୍ଦିର ପାଇଁ ସ୍ବତନ୍ତ୍ର ଭାବେ ମନ୍ଦିର ପ୍ରଶାସନ ରହିଥିଲେ ବି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏମାନଙ୍କ ପାଖରେ କୌଣସି ବ୍ୟବସ୍ଥା ହିଁ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ପ୍ରମାଣ ଯୋଗାଡ଼ କରିବା ବି ଏମାନଙ୍କ ପକ୍ଷେ ଅସମ୍ଭବ।

ଯେଉଁ ସିସିଟିଭି ନଜରରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିରକୁ ରଖାଯାଇଛି ବୋଲି କୁହାଯାଉଛି, ତା’ର ଫୁଟେଜ୍‌ ବି ମନ୍ଦିର ପ୍ରଶାସନ ଦେଖିପାରୁନାହିଁ। ଜିଲ୍ଲା ପୁଲିସକୁ ଖବର ଦେଲେ ଯାଇ ସ୍ଥିତି ଅନୁଧ୍ୟାନ ହେବ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତ ଜଗନ ରୋଷଘରେ ପଶି ଚୁଲି ଭାଙ୍ଗିବା ପରେ ଶ୍ରୀମନ୍ଦିର ପ୍ରଶାସନର ଏହି ଅସହାୟତା ଏବେ ପଦାକୁ ଆସିଛି। ଏହି ପ୍ରସଙ୍ଗ ପରିଚାଳନା କମିଟି, ସେବାୟତ ମହଲ ଜାଣିବା ପରେ ଏବେ ଜିଲ୍ଲା ପୁଲିସ ବାଦ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସିସିଟିଭିର ଆଉ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ଦାବି ଉଠିଛି। ଦୁଇଦିନ ତଳେ ବସିଥିବା ବୈଠକରେ ବି ଏ ଉପରେ ବିସ୍ତୃତ ଆଲୋଚନା ହୋଇଛି।

ମିଳିଥିବା ସୂଚନା ମୁତାବକ, ୨୦୧୫ ନବକଳେବର ସମୟରେ କୋଟି କୋଟି ଟଙ୍କା ବିନିମୟରେ ଶ୍ରୀମନ୍ଦିର ସହ ସମ୍ପୂର୍ଣ୍ଣ ପୁରୀ ସହରର ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା। ପୁଲିସ ହାଉସିଂ କର୍ପୋରେସନ୍‌ ଏକ ଠିକା ସଂସ୍ଥା ଜରିଆରେ ଏହି କାମ କରିଥିଲା। ଶ୍ରୀମନ୍ଦିରର ଚାରିଦ୍ବାର, ବେଢ଼ା, ମେଘନାଦ ପାଚେରି ଓ ମନ୍ଦିର ଭିତରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯାଇଥିଲା। ଯାହାର ‌କଣ୍ଟ୍ରୋଲ ରୁମ୍‌ ଥିଲା ପୁରୀ ଟାଉନ୍‌ ଥାନା ପରିସରରେ। ବଡ଼ ବଡ଼ ଏଲ୍‌ଇଡି ପରଦାରେ ପୁଲିସ ସିସିଟିଭିକୁ ନିରୀକ୍ଷଣ କରୁଥିଲା।

କିନ୍ତୁ ବାତ୍ୟା ‘ଫନି’ ପରେ ଏହି ଭିତ୍ତିଭୂମି ଉଜୁଡ଼ିଯାଇଛି। ଏହା ପରେ ଅନେକ ଥର ପୁଲିସ ହାଉସିଂ କର୍ପୋରେସନ୍‌କୁ ଏହି ଭିତ୍ତିଭୂମି ସଜାଡ଼ିବାକୁ ଅନୁରୋଧ କରାଯାଇଥିଲେ ବି ନିଗମ ଏହାକୁ ଅଣଦେଖା କରିଆସିଛି। ତଥାପି ଫନିରେ ନଷ୍ଟ ହୋଇଯାଇଥିବା ଏହି ସିସିଟିଭି ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ୨୦୨୧ ମସିହାରେ ଜିଲ୍ଲା ପୁଲିସର ମଧ୍ୟସ୍ଥିରେ ଶ୍ରୀମନ୍ଦିର ପ୍ରଶାସନ ପୁଲିସ ହାଉସିଂ କର୍ପୋରେସନ୍‌କୁ ପ୍ରାୟ ୮୦ ଲକ୍ଷ ଟଙ୍କା ଦେଇଥିଲା। ଏଥିରେ ୧୯୧ଟି ସିସିଟିଭି ଲଗା ଯାଇଥିବା କୁହାଯାଉଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ମାତ୍ର ୬ଟି ସିସିଟିଭି ହିଁ କାମ କରୁଛି। ଅନ୍ୟ ଏକ ଦୁର୍ଭାଗ୍ୟଜନକ କଥା ହେଉଛି, ଯେଉଁ ପୁଲିସ ହାଉସିଂ କର୍ପୋରେସନ୍‌ ଟାଉନ୍‌ ହଲ୍‌ ପରିସରରେ ପୂର୍ବଭଳି ସିସିଟିଭିର କଣ୍ଟ୍ରୋଲ ରୁମ୍‌ କରିବ ବୋଲି କହିଥିଲା, ତାହା କରାଯାଇନି। କେବଳ ସିଂହଦ୍ବାରରେ ଏକ କଣ୍ଟେନର ଭିତରେ ଚାଲିଥିବା ସିଂହଦ୍ବାର ଫାଣ୍ଡି ଅଳ୍ପ କିଛି ସିସିଟିଭିର ନିୟନ୍ତ୍ରଣ କରୁଛି।

ବୈଷୟିକ ଦିଗକୁ ଦେଖିଲେ, ଶ୍ରୀମନ୍ଦିର ପ୍ରଶାସନ ପାଖରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଯଦି କୌଣସିଠାରେ ସିସିଟିଭି ଖରାପ ହେବାର ସୂଚନା ମିଳେ, ମନ୍ଦିର ପ୍ରଶାସନ ଜିଲ୍ଲା ପୁଲିସକୁ ହିଁ ଅବଗତ କରିଥାଏ। ଶ୍ରୀମନ୍ଦିର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଯେହେତୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସିସିଟିଭି ମରାମତିର କୌଣସି ବୈଷୟିକ ମାନବସମ୍ବଳ ନାହିଁ, ସେହି ଦୃଷ୍ଟିରୁ ବାରମ୍ବାର ଜିଲ୍ଲା ପୁଲିସକୁ ବି ଏ ଉପରେ ଅବଗତ କରାଯାଉଛି। କିନ୍ତୁ ପୁଲିସ ଏହାକୁ ଗୁରୁତ୍ବ ଦିଏନାହିଁ। ସେପଟେ ୮୦ ଲକ୍ଷ ଟଙ୍କା ନେଇଥିବା ପୁଲିସ ହାଉସିଂ କର୍ପୋରେସନ୍‌ ଟଙ୍କା ନେଲା ପରେ ଆଉ ଧରାଛୁଆଁ ଦେଉନି। ଏଣୁ ବର୍ଷ ବର୍ଷ ଧରି ଏହି ସିସିଟିଭି ଅଚଳ ହୋଇ ପଡ଼ିରହିଛି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି। ଏଭଳି ସ୍ଥିତିରେ ପୁଣିଥରେ ୧୩୫ଟି ସିସିଟିଭି କ୍ୟାମେରା ଲଗାଇବା ଦାୟିତ୍ବରେ ପୁଲିସ ହାଉସିଂ ‌କର୍ପୋରେସନ୍‌କୁ ଦେବାକୁ ଯୋଜନା କରାଯିବାକୁ ଭକ୍ତ, ସେବାୟତ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର