ମାଲକାନଗିରିରେ ଖରିଫ ମଣ୍ଡିର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ୫୫ ହଜାର କ୍ୱିଣ୍ଟାଲ ଧାନ ଖରିଦ ହେବ

ମାଲକାନଗିରି: ଖରିଫ ମଣ୍ଡି ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଆରଏମସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ.ଭି.ବିଜୟ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସଭାପତିତ୍ତ୍ୱ କରିଥିଲେ। ଆଜି ଠାରୁ ପ୍ରାୟ ତିନି ଚାରି ମାସ ଧରି ମଣ୍ଡି ଚାଲିବ ବୋଲି ଜଣାପଡିଛି। ତେବେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ୫୫ ହଜାର କ୍ୱିଣ୍ଟାଲ ଧାନ ଖରିଦ କରାଯିବ ବୋଲି କୁହାଯାଇଛି। ଚଳିତ ବର୍ଷ ମଣ୍ଡିରେ ଦଲାଲଗିରି ରୋକିବା ନେଇ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି, ଯେଉଁ ମଣ୍ଡିରେ ବେଶୀ ଧାନ ଖରିଦ କରାଯାଉଛି, ସେଠାରେ ସିସିଟିଭି ଲଗାଯିବ ବୋଲି ଜିଲ୍ଲାପାଳ ଭି.ଭିଜୟ ପ୍ରକାଶ କରିଥିଲେ। ଏଥିସହ ପ୍ରତ୍ୟେକ ମଣ୍ଡିରେ ଧାନ ଖରିଦ କରାଯିବା ସମୟରେ ତାର ମାନ ପରୀକ୍ଷା କରିବା, ମିଲରଙ୍କୁ ଧାନ ପ୍ରଦାନ କରିବା ଏବଂ ମଣ୍ଡିର ପରିଚାଳନା ପାଇଁ କିଛି ଯୁବକଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେଯଚଳିତ ମଣ୍ଡିରେ ଯେପରି କୃଷକ ନିଜର ଧାନକୁ ସୁବିଧାରେ ବିକ୍ରି କରିପାରିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲାଯଜିଲ୍ଲାରେ ରହିଥିବା ୨୪ଟି ମିଲର ଏହି ମଣ୍ଡିରେ ସାମିଲ ହେବେ ବୋଲି ଜଣାପଡିଛି। ଟୋକେନ ଥିଲେ ହିଁ ମଣ୍ଡିରେ ଧାନ ଗଦା କରିପାରିବେ ବୋଲି ସଫା ସଫା କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ଜିଲ୍ଲାରେ ୩୦ ହଜାର ଚାଷୀ ନିଜ ନାମ ପଂଜିକରଣ କରିଥିବା ବେଳେ ଚଳିତ ବର୍ଷ ୩୪ ହଜାର ୭୪୬ ଜଣ ଚାଷୀ ପଂଜିକରଣ କରିଥିବା ଜିଲ୍ଲା ଯୋଗାଣ ବିଭାଗ ତରଫରୁ କୁହାଯଆଇଛି। ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଂକା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଧାନ କ୍ୱିଣ୍ଟାଲ ପିଛା ୧୮୮୮ ଟଂକା ଧାର୍ଯ୍ୟ କରାଯାଇଛି। ସେହିପରି ଗତବର୍ଷ ଜିଲ୍ଲାରେ ୬୨ଟି ମଣ୍ଡି ଖୋଲାଯାଇଥିବା ବେଳେ ଚଳିତ ବର୍ଷ ପାଙ୍ଗାମର ବିଜାମୁଣ୍ଡା ଏବଂ ପଦ୍ମଗିରିର ଉଡୁପା ଠାରେ ନୂତନ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ମୋଟ ୬୪ଟି ମଣ୍ଡି ଖୋଲାଯିବଯଚାଷୀ ଗୋଟିଏ ଦିନରେ ୪୦ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି କୁହାଯାଇଛି। ମୁହଁରେ ମାସ୍କ ନଥିଲେ କିମ୍ବା ଟୋକେନ ନଥିଲେ ମଣ୍ଡିରେ ଚାଷୀ ପ୍ରବେଶ କରିପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଦଲାଲ ଯେପରି ଧାନ ବିକ୍ରି ବେଳେ ମଣ୍ଡିରେ ନପଶନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ସେହିପରି ଦୁଇଟି ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରାଯାଇଥିବା କୁହାଯାଇଛି। ଦଲାଲଗିରି କରୁଥିଲେ ଧରାପଡିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର