ସିଡି ଖୋଲିବ ଗୁମର!

ପୁରୀ: ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ନିବାସୀ ଶାନ୍ତନୁ ପାତ୍ରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତରେ ପୁଲିସ ଆଉ ପାଦେ ଆଗେଇଛି। ମୃତ ଶାନ୍ତନୁଙ୍କ ଆଟାଚିକୁ ପୁଲିସ ଜବତ କରିଛି। ଏହାକୁ ଆଜି ଶାନ୍ତନୁଙ୍କ ଭଉଣୀ ଘରୁ ଜବତ କରାଯାଇଛି। ବେଙ୍ଗାଲୁରରୁ ଫେରିବା ପରେ ଶାନ୍ତନୁ ତାଙ୍କର ଏହି ଆଟାଚିଟି ନେଇ ନିଜ ଭଉଣୀ ଘରକୁ ଯାଇଥିଲେ। ସେଠାରେ ଏହାକୁ ରଖି ଏକ ବ୍ୟାଗରେ ଦୁଇ ହଳ ଡ୍ରେସ୍‌ ନେଇ ନିଜ ଗାଁକୁ ଫେରିଥିଲେ। ଏହାପରେ ରାତିରେ ସେ ଆତ୍ମହତ୍ୟା କରିଥିଲେ। ଆଟାଚିଟି ଲକ୍‌ ଥିବାରୁ ପୁଲିସ ଏହାକୁ ଭାଙ୍ଗିଥିଲା। ଭିତରେ ଶାନ୍ତନୁଙ୍କର କେତେକ ପୋଷାକ ସହ ଏକ କ୍ୟାମେରା, ଭିଡିଓ ସିଡି, ବ୍ୟାଙ୍କ ଖାତା ଆଦି ରହିଥିଲା। ପୁଲିସ ଏହି ବ୍ୟାଙ୍କ ଖାତାର ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ମିଳିଥିବା ଭିଡିଓ ସିଡିକୁ ଯାଞ୍ଚ କରୁଛି। ଏଥିରୁ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପୁଲିସର ହସ୍ତଗତ ହୋଇଛି। ତେବେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କାରେ ପୁଲିସ ଏହାକୁ ଗଣମାଧ୍ୟମ ସମ୍ମୁଖରେ ଖୋଲୁନାହିଁ। ଏସପି ସାମ୍ବାଦିକ ସମ୍ମିଳନୀ ଡାକି ଏହି ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଶାନ୍ତନୁଙ୍କ ପତ୍ନୀ ଅନୀତା ଏବଂ ତାଙ୍କ ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ପୁଲିସ ଅଟକ ରଖି ଆଟାଚିରୁ ମିଳିଥିବା ତଥ୍ୟକୁ ନେଇ ପଚରା ଉଚରା ଚଳାଇଛି। ପୂର୍ବରୁ ପୁଲିସକୁ ଜେରା ସମୟରେ ଏହି ଦୁଇ ଜଣ କିଛି ତଥ୍ୟ ଲୁଚାଇ ରଖିଥିଲେ। ମାତ୍ର ଏହି ଭିଡିଓ ସିଡିର ତଥ୍ୟକୁ ଦେଖାଇବା ପରେ ସେମାନଙ୍କ ପାଟି ବନ୍ଦ ହୋଇଯାଇଛି। ସେପଟେ ହ୍ଵାଟ୍‌ସ୍‌ଆପ୍‌ ଓ ଫେସ୍‌ବୁକ୍‌ ସଂସ୍ଥାକୁ ଏହି ତିନି ଜଣଙ୍କ ମଧ୍ୟରେ ହୋଇଥିବା ଚାଟିଂର ରିପୋର୍ଟ ପଠାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତ ଆସିନାହିଁ। ତେଣୁ ଏହି ରିପୋର୍ଟ ଆସିବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ସ୍ଥିର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର