କଟକ: ସିଡିଏ ପ୍ଳଟ ଆବଣ୍ଟନ ଓ ହସ୍ତାନ୍ତର ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏଣିକି ଇଚ୍ଛାଧୀନ କୋଟାରେ ଗୋଟିଏମାତ୍ର ପ୍ଲଟ୍‌ ପାଇଥିବା ହିତାଧିକାରୀଙ୍କୁ ସିଡିଏ ପ୍ଲଟ୍‌ର ଦଖଲ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ନବକିଶୋର ନାୟକ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ସିଡିଏ ସେକ୍ଟର ୧୩ରେ ଗୋଟିଏ ପ୍ଳଟ୍‌ ପାଇଥିଲେ। ସିଡିଏ ତରଫରୁ ପ୍ଲଟ୍‌ ଆବଣ୍ଟନ ନେଇ ତାଙ୍କୁ ଆଲଟମେଣ୍ଟ ଚିଠି ମିଳିଥିଲା। କିନ୍ତୁ, ପ୍ଲଟ୍‌ର ଦଖଲ ଆବେଦନକାରୀଙ୍କୁ ଦିଆଯାଇ ନଥିଲା। ପରବର୍ତ୍ତୀ ସମୟରେ ଇଚ୍ଛାଧୀନ କୋଟା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଆସିଥିଲା। ଟାସ୍କଫୋସ୍ ରିପୋର୍ଟରେ ସମସ୍ତ ଇଚ୍ଛାଧୀନ କୋଟା ବାତିଲ୍‌ ପାଇଁ କୁହାଯାଇଥିଲା। ରିପୋର୍ଟ ଅନୁଯାୟୀ ଆବେଦନକାରୀଙ୍କୁ ନୋଟିସ୍‌ ଜାରି କରାଯିବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇାକୋର୍ଟ ମାମଲାର ଶୁଣାଣିକରି ଆବେଦନକାରୀଙ୍କୁ ଜାରି କରାଯାଇଥିବା ନୋଟିସ୍ ରଦ୍ଦ କରିଛନ୍ତି। ଯେହେତୁ ଆବେଦନକାରୀ ଇଚ୍ଛାଧୀନ କୋଟାରେ କେବଳ ଗୋଟିଏ ପ୍ଲଟ ପାଇଛନ୍ତି, ତାଙ୍କୁ ନୋଟିସ୍ ଜାରି କରାଯିବା ଆବଶ୍ୟକ ନୁହେଁ। ଏଥିସହିତ ଆବେଦନକାରୀଙ୍କୁ ସେକ୍ଟର-୧୩ରେ ନିର୍ଦ୍ଦି‌ଷ୍ଟ ପ୍ଲଟ୍‌ ଆବଣ୍ଟନ କରାଯାଇ ସାରିଛି। ଏଭଳି ସ୍ଥିତିରେ ସଂପୃକ୍ତ ପ୍ଲଟ୍‌ର ଦଖଲ ଆବେଦନକାରୀଙ୍କୁ ଏକମାସ ଭିତରେ ପ୍ରଦାନ କରିବାକୁ ସିଡିଏକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସମାନ ପ୍ରସଙ୍ଗ ନେଇ ଗୋଲାପ ସାହୁ ଦାୟର କରିଥିବା ମାମଲାରେ ମଧ୍ୟ ହାଇକୋର୍ଟ ସମାନ ରାୟ ପ୍ରଦାନ କରି ପ୍ଲଟ୍‌ର ଦଖଲ ଆବେଦନକାରୀଙ୍କୁ ଦେବାକୁ କହିଛନ୍ତି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିଡିଏ ଓ ବିଡିଏରେ ପ୍ଲଟ୍/ଫ୍ଲାଟ୍ ଆବଣ୍ଟନରେ କେଳେଙ୍କାରୀ ଅଭିଯୋଗ ହେବାପରେ ରାଜ୍ୟସରକାର ଏହାର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରିଥିଲେ। ଟାସ୍କଫୋର୍ସ ଦାଖଲ କରିଥିବା ରିପୋର୍ଟରେ ସିଡିଏ/ବିଡିଏରେ ପ୍ଲଟ୍‌ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଉଲ୍ଲେଖ କରାଯାଇଥିଲା। ୧୯୯୫ ମସିହା ପରଠାରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ବିଡିଏ, ସିଡିଏ ଓ ହାଉସିଂବୋର୍ଡ ଆବଣ୍ଟନ କରିଥିବା ସମସ୍ତ ଘର/ପ୍ଲଟ୍‌/ଫ୍ଲାଟକୁ ବାତିଲ କରିବାକୁ ତାରା ଦତ୍ତ କମିଟି (ଟାସ୍କ ଫୋର୍ସ) ୨୦୧୪ରେ ରିପୋର୍ଟ ଦେଇଥିଲା। ସିଡିଏ ଓ ବିଡିଏରେ ଗୋଟିଏମାତ୍ର ପ୍ଳଟ୍‌ ରହିଥିବା ବହୁ ହିତାଧିକାରୀ ଅଭିଯୋଗ କରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ କ୍ରମେ ଇଚ୍ଛାଧୀନ କୋଟା ପ୍ରସଙ୍ଗରେ ଶୁଣାଣି ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟି ଚୂଡ଼ାନ୍ତ ରିପୋର୍ଟ ଦେବାପରେ ଏହା ନଗର ଉନ୍ନୟନ ବିଭାଗକୁ ପଠାଯିବ ଓ ଏହାପରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା। କମିଟି ରିପୋର୍ଟ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ କିନ୍ତୁ ବିଭିନ୍ନ ବାହାନା ଦେଖାଇ ସାର୍ବଜନୀନ କରାଯାଉ ନାହିଁ ବୋଲି ଅଭିଯୋଗ ରହିଛି। ବହୁ ପ୍ରଭାବଶାଳୀ ବ୍ୟକ୍ତି ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ହାତେଇଥିବାରୁ ଆବଣ୍ଟନ ବାତିଲ ପାଇଁ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରୁନାହାନ୍ତି ବୋଲି ଅଭିଯୋଗ ରହିଛି। ଅନ୍ୟପକ୍ଷରେ, ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ପାଇଥିବା କେତେକ ହିତାଧିକାରୀଙ୍କୁ ସିଡିଏ ନୋଟିସ୍ ଜାରି କରିଥିଲା। କାହିଁକି ଆବଣ୍ଟନ ବାତିଲ କରା ନ ଯିବ ସେ ନେଇ ଉତ୍ତର ରଖିବାକୁ କୁହାଯାଇଥିଲା।