ଚିଲିକା ଚିଙ୍ଗୁଡ଼ି, କଙ୍କଡ଼ାରେ ପ୍ଲାଷ୍ଟିକ୍ : ବର୍ଷବ୍ୟାପୀ ପ୍ଲାଷ୍ଟିକମୁକ୍ତ ଅଭିଯାନ ଶୀଘ୍ର
ଜୁଲାଇ ୬ ସୁଦ୍ଧା ଲୋଗୋ ଦିଅ, ନଗଦ ପୁରସ୍କାର ନିଅ
ଭୁବନେଶ୍ୱର : ସ୍ଥଳଭାଗ ଭଳି ସମୁଦ୍ର ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏଥିରୁ ଚିଲିକା ହ୍ରଦ ବି ବାଦ୍ ପଡ଼ିନାହିଁ। ବରଂ ଚିଲିକାର ଚିଙ୍ଗୁଡ଼ି, କଙ୍କଡ଼ା, ମାଛର ଖାଦ୍ୟ ପ୍ରଣାଳୀରେ ଅଣୁ ପ୍ଲାଷ୍ଟିକ୍ ରହିଥିବା ନେଇ ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ତେବେ କେତେ ପରିମାଣର ପ୍ଲାଷ୍ଟିକ ଅଣୁଭାଗ ମାଛ ଆଦିରେ ରହିଛି ସେ ନେଇ ଆକଳନ କରାଯାଉଛି। ଏହାକୁ ନଜରରେ ରଖି ସମଗ୍ର ଚିଲିକାକୁ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ଚିଲିକା ଉନ୍ନୟନ କର୍ତୃପକ୍ଷ(ସିଡିଏ) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦୀର୍ଘସ୍ଥାୟୀ ଭାବେ ଚିଲିକାକୁ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ କରିବାକୁ ବର୍ଷତମାମ ଏହି ଅଭିଯାନ ଚାଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସିଡିଏ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ ପ୍ରସ୍ତାବିତ ଅଭିଯାନର ରୂପରେଖ ସଂପର୍କରେ ଉଲ୍ଲେଖ କରାଯାଇଛି। ଗତ ୫ ତାରିଖରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସରେ ଚଳିତ ବର୍ଷ ‘ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ’ ଶୀର୍ଷକ ପ୍ରସଙ୍ଗ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସିଡିଏ ପକ୍ଷରୁ ପୁନଃବ୍ୟବହାର ବା ରିସାଇକିଂ୍ଲ ହୋଇପାରୁନଥିବା ତଥା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିକାରୀ ପ୍ଲାଷ୍ଟିକ୍ ବ୍ୟବହାରକୁ ସଂପୂର୍ଣ୍ଣ ‘ନା’, ଯେଉଁ ପ୍ଲାଷ୍ଟିକ୍ର ବିକଳ୍ପ ନାହିଁ ତା’ର ବ୍ୟବହାର ଯଥାସମ୍ଭବ ହ୍ରାସ ଓ ପୁନଃବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ପୃଥକୀକରଣ ଆଦି ଲକ୍ଷ୍ୟ ନେଇ କାର୍ଯ୍ୟ କରିବ ସିଡିଏ। ୨୦୦୪ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଲିକା ଏବଂ ଏହାର ଆଖପାଖରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ଏଣୁ, ସ୍ୱେଚ୍ଛାସେବୀ, ଏନ୍ଜିଓ, ମୋଟରବୋଟ ସଂଘ ସଦସ୍ୟ ଓ ଜନସାଧାରଣଙ୍କୁ ଚିଲିକାର ସୌନ୍ଦଯ୍ୟ ଫେରାଇ ଆଣି ଏହାକୁ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।
ଏହି ଅଭିଯାନ ନିମନ୍ତେ ସିଡିଏ ପକ୍ଷରୁ ପ୍ଲାଷ୍ଟିକ୍ମୁକ୍ତ ପ୍ରସଙ୍ଗ ନେଇ ଜନସାଧାରଣଙ୍କଠାରୁ ଲୋଗୋ ଆହ୍ଵାନ କରାଯାଇଛି। [email protected] ଠିକଣାରେ ଲୋଗୋ ଦାଖଲ କରିହେବ। ଏହାର ସମୟସୀମା ହେଉଛି ଜୁଲାଇ ୬ ତାରିଖ। ଶ୍ରେଷ୍ଠ ଲୋଗୋ ନିମନ୍ତେ ନଗଦ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।