ବାବୁଙ୍କୁ ବେଳ ନାହିିଁ… : ସିଡିଏ ଫାଇଲ୍‌ ଯାଉଛି ବିଡିଏ

କଟକ : କଟକର ଘର ନିର୍ମାଣ ଅନୁମତି ଫାଇଲ୍‌ ଅନୁମୋଦନ ପାଇଁ ଯାଉଛି ଭୁବନେଶ୍ୱର। ସେଠାରେ ବିଡିଏ କାର୍ଯ୍ୟାଳୟରେ ହେଉଛି ସିଡିଏର ଫାଇଲ୍‌ ଅନୁମୋଦନ। ଗଲା ଏପ୍ରିଲ୍‌ ମାସରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ କାର୍ଯ୍ୟଭାର ନେବା ପରେ ଆଉ ସିିଡିଏ କାର୍ଯ୍ୟାଳୟକୁ ଆସୁନାହାନ୍ତି। ସିଡିଏରେ ଅତିରିକ୍ତ ଦାୟିତ୍ୱରେ ଥାଇ ମଧ୍ୟ ସେ ଆସୁନଥିବାରୁ ଫାଇଲ୍‌ ଅନୁମୋଦନ ପାଇଁ କିରାଣିଙ୍କୁ ଯିବାକୁ ପଡ଼ୁଛି ଭୁବନେଶ୍ୱର। ରୋଚକ କଥା ହେଉଛି, ଏଥିପାଇଁ ନିୟମିତ ଅନ୍ତରାଳରେ ସିଡିଏ କର୍ତ୍ତୃପକ୍ଷ ଓଲା କିମ୍ବା ଉବେର୍‌ରୁ କାର୍‌ ଭଡ଼ାରେ ନେଉଛନ୍ତି। କିରାଣି କାର୍‌ରେ ଫାଇଲ୍‌ ନେଇ ଶ୍ରୀ ଭୂୟାଁଙ୍କ ପାଖକୁ ଯିବା ପରେ ସେଠାରେ ଅନୁମୋଦନର ମୋହର ବାଜୁଛି।

ଏ ସଂପର୍କରେ ପ୍ଲାନିଂ ମେମ୍ବର ଶ୍ରୀ ଭୂୟାଁ କହିଛନ୍ତି ଯେ, ବିଡିଏରେ କାର୍ଯ୍ୟ ଚାପ ବହୁତ ଅଧିକ। ତେଣୁ ସିଡିଏକୁ ଯିବା ପାଇଁ ସମୟ ହେଉନାହିଁ। ମାତ୍ର ଫାଇଲ୍‌ ମୋ’ ପାଖକୁ ଆସିଲେ ତୁରନ୍ତ ତାହାକୁ ଅନୁମୋଦନ କରି ପଠାଇ ଦେଉଛି। ସିିଡିଏରେ ନିର୍ମାଣ ଅନୁମତିକୁ ନେଇ ସେଭଳି କୌଣସି ସମସ୍ୟା ସୃଷ୍ଟି ହେଉନାହିଁ ବୋଲି ଶ୍ରୀ ଭୂୟାଁ କହିଛନ୍ତି।

ସେପଟେ ସିଡିଏ ଉପାଧ୍ୟକ୍ଷ ଶରତ ନାୟକ କହିଛନ୍ତି ଯେ, ଶ୍ରୀ ଭୂୟାଁ ବିଡିଏରେ ଦାୟିତ୍ୱ ନେବା ପରେ ସିଡିଏ ପାଇଁ ସମୟ ଦେଇପାରୁନାହାନ୍ତି। ଏଣୁ ତାଙ୍କ ପାଖକୁ ଫାଇଲ୍‌ ନେଇ ଯିବାକୁ ପଡ଼ୁଛି। ଅବଶ୍ୟ ଏଭଳି ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ସ୍ଥାୟୀ ପ୍ଲାନିଂ ମେମ୍ବର ଦେବା ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର