ବାଲେଶ୍ୱର : କରୋନା ସ୍ଥିତି ଅସମ୍ଭାଳ ହେଲାଣି ବାଲେଶ୍ବରରେ। ଗତ କିଛି ଦିନ ହେଲା ଶହେ ଶହେରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ପରିସଂଖ୍ୟାନ ମୁତାବକ ଗତ ୬ ଦିନରେ ଜିଲ୍ଲାରୁ ୯୫୬ ଜଣ ମହାମାରୀ କୋଭିଡ୍ ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତର, ପୁଲିସ, ପ୍ରଶାସନିକ ଅଧିକାରୀ କେହି ବାଦ୍ ପଡିନାହାନ୍ତି ମହାମାରୀ କବଳରୁ। ଏଭଳି ପରିସ୍ଥିତିରେ ବାଲେଶ୍ବର ବଡ଼ଡାକ୍ତରଖାନାରେ କାୟା ମେଲାଇଛି କରୋନା। ଦୁଇ ଦିନ ତଳେ ଡାକ୍ତରଖାନାର ଡିପିଏମ୍ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଓ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ଏଡିଏମ୍ଓ)ଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏମାନଙ୍କ ସହିତ ଡାକ୍ତରଖାନାର ମୋଟ ୭ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହି ଦୁଇ ଅଧିକାରୀଙ୍କ ସଂସ୍ପର୍ଶରେ ଡାକ୍ତରଖାନାର ଅନେକ କର୍ମଚାରୀ ଆସିଛନ୍ତି। ତେବେ ରୋଗୀ ଚିକିତ୍ସା ବ୍ୟାହତ ଆଶଙ୍କାରେ ଡାକ୍ତରଖାନାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବା କିମ୍ବା କର୍ମଚାରୀଙ୍କୁ ହୋମ୍ କ୍ବାରାଣ୍ଟିନ୍ରେ ରଖାଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। କୋଭିଡ୍ ଗାଇଡଲାଇନ୍ ଅନୁସାରେ ସମସ୍ତ କର୍ମଚାରୀ ସତର୍କତାର ସହ କାମ କରିବା ପାଇଁ କୁହାଯାଇଛି। ଏଭଳି ପରିସ୍ଥିତିରେ ଡାକ୍ତରଖାନାଗୁଡ଼ିକରେ ଯଦି ସଂକ୍ରମଣକୁ ରୋକା ନ ଯାଏ ତେବେ ଜିଲ୍ଲାରେ ଚିକିତ୍ସା ସେବା ପୂରା ଠପ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସ୍ବାଧୀନତା ଦିବସ ଦିନରୁ ହିଁ କରୋନା ସଂକ୍ରମଣ ହାର କ୍ଷିପ୍ର ହେବାରେ ଲାଗିଛି। ଜିଲ୍ଲାକୁ କରୋନା ଛୁଇଁବା ଦିନରୁ ଆଜି ପର୍ଯ୍ୟନ୍ତ ମୋଟ ୨୬୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୬ ଦିନ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ହଜାରେ ଛୁଇଁବାକୁ ବସିଲାଣି। ସେପଟେ ଜିଲ୍ଲାର ବିଭିନ୍ନ ଥାନାଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ମଧ୍ୟ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି।
କରୋନା କୋପରେ ବାଲେଶ୍ୱର : ସିଡିଏମ୍ଓ, ଏଡିଏମ୍ଓ ଆକ୍ରାନ୍ତ
/sambad/media/post_attachments/wp-content/uploads/2020/08/covid-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)