କେନ୍ଦୁଝର ମେଡିକାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବଦଳି

ଭୁବନେଶ୍ବର: କେନ୍ଦୁଝର ମେଡିକାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହେବା ଘଟଣାରେ ବଳିପଡ଼ିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବାର ସୂଚନା ମିଳିଛିl ଏଣେ ତାଙ୍କ ସ୍ଥାନରେ ଡାକ୍ତର କିଶୋର କୁମାର ପୃଷ୍ଟିଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲେ। ସେ ଚିଠି ନମ୍ବର-୩୦୮୫ରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଥିଲେ , ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ଚିକିତ୍ସା କରୁଥିବା ଡାକ୍ତରଙ୍କର କୌଣସି ତ୍ରୁଟି ନାହିଁ। ପ୍ରାଣ ହରାଇଥିବା ଶିଶୁମାନଙ୍କର ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂଗିନ ଥିଲା ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲେ।

ଏ ସମ୍ପର୍କରେ ସିଡିଏମ୍ଓ ଡା. ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ବିଭାଗର ତଦନ୍ତ ସମ୍ପର୍କରେ ଡା.ମିଶ୍ର କହିଥିଲେ ଯେ ୨୪ ଘଣ୍ଟାରେ ଏତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ କାହିଁକି ହେଲା, ଏହି ଟିମ୍ ତାହାର ଅନୁଧ୍ୟାନ କରିଥିଲେ। ଏସ୍ଏନ୍ସିୟୁରେ ସଂକ୍ରମଣ ଅଧିକ ଥିବାନେଇ ତଦନ୍ତକାରୀ ଟିମ୍ ଅନୁଭବ କରିଥିଲେ ବୋଲି ଡା. ମିଶ୍ର କହିଥିଲେ। ସେହିପରି ଏସ୍ଏନ୍ସିୟୁରେ ଯେତିକି ଶିଶୁ ଭର୍ତ୍ତି ହେଉଛନ୍ତି, ତା’ଠାରୁ ଶଯ୍ୟାସଂଖ୍ୟା ଯଥେଷ୍ଟ କମ୍ ରହିଛି। ଏମିତିକି ଆବଶ୍ୟକ ଡାକ୍ତର ନ ଥିବାନେଇ ସେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର