ଝାରସୁଗୁଡ଼ା/ଭୁ‌ବନେଶ୍ବର: ପୁଣି ଜଣେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ(ସିଡିପିଓ) ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମହିଳା ସ୍ବୟଂ ସେବକ ସଂଘ (ଏସ୍‌ଏଚ୍‌ଜି) ଗ୍ରୁପ୍‌ ଦ୍ବାରା ଝାରସୁଗୁଡ଼ା ଅର୍ବାନ ସିଡିପିଓ ସରୋଜିନୀ ଏକ୍କା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏସ୍‌ଏଚ୍‌ଜି ଗ୍ରୁପର ଏକ ଛତୁଆ ପ୍ରସ୍ତୁତି ୟୁନିଟ ପାଇଁ ଏହି ଲାଞ୍ଚ ଟଙ୍କା ନେଉଥିଲେ।

Advertisment

ସୂଚନା ଅନୁସାରେ ଝାରସୁଗୁଡା ସହରରେ ଏକ ଛତୁଆ ପ୍ରସ୍ତୁତି ୟୁନିଟ ପାଇଁ ଏସଏଚଜି ପକ୍ଷରୁ ସିଡିପିଓ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ମାତ୍ର ଶ୍ରୀମତୀ ଏକ୍କା ଛତୁଆ ୟୁନିଟ କାର୍ଯ୍ୟକ୍ଷମ କରାଇବା ପାଇଁ ସମୟ ଗଡ଼ାଇ ଚାଲିଥିଲେ। ତେବେ ୪୦ ହଜାର ଟଙ୍କା ନହେଲେ ଅନୁମତି ମିଳିବନି ବୋଲି ସେ ରୋକଠୋକ କହିଥିଲେ। ଶ୍ରୀମତୀ ଏକ୍କାଙ୍କ ପ୍ରସ୍ତାବରେ ଏସ୍‌ଏଚ୍‌ଜି ଗ୍ରୁପ ରାଜି ହୋଇଥିଲା। କିନ୍ତୁ ଲାଞ୍ଚୁଆ ଅଧିକାରିଣୀଙ୍କୁ ପାନେ ଦେବା ପାଇଁ ଚିନ୍ତା କରି ପରେ ଏସଏଚଜି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା। ଆଜି ପୂର୍ବ ସୂଚନା ଅନୁସାରେ ଭିଜିଲାନ୍ସ ଟିମ ପ୍ରସ୍ତୁତ ହୋଇ ରହିଥିବା ବେଳେ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଶ୍ରୀମତୀ ଏକ୍କାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଥିଲା ବେଳେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଅଙ୍ଗନବାଡ଼ି ଚାକିରି ପାଇଁ ୧ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ କାରବାର ଘଟଣାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସିଡିପିଓ ନମିତା ପାଲ୍ ଓ ବରିଷ୍ଠ ରାଜସ୍ବ ସହାୟକ ଅଶ୍ବିନୀ କୁମାର ପ୍ରଧାନ ଗତ ମେ’ ମାସ ୧୭ ତାରିଖରେ ଗିରଫ ହୋଇଥିଲେ।