ନିଜ ଡ୍ରାଇଭର୍‌ଠାରୁ ଲାଞ୍ଚ ନେଲେ ସିଡିପିଓ, ୩ ହଜାର ଟଙ୍କା ନେଉଥିଲାବେଳେ ଭିଜିଲାନ୍ସ ଧରିଲା

ବାଲେଶ୍ବର/ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) କାର୍ଯ୍ୟାଳୟର ସିଡିପିଓ ଜାନକୀ ଦାସ ତାଙ୍କ ଡ୍ରାଇଭରର ବକେୟା ଦରମା ବିଲ ପାସ୍‌ କରାଇବା ପାଇଁ ୩ ହଜାର ଟଙ୍କା ଲା‌ଞ୍ଚ ନେବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ରାଜକିଶୋର ନାୟକ ଦୀର୍ଘ ୨୦ ବର୍ଷ ଧରି ଆଇସିଡିଏସ୍‌ ଗାଡ଼ି ଚଳାଉଛନ୍ତି। ଅସ୍ଥାୟୀ ଭାବେ ଏବଂ ସ୍ବଳ୍ପ ଦରମାରେ ଗାଡ଼ି ଚଳାଉଥିବାରୁ ରାଜକିଶୋରଙ୍କ ପାଇଁ କାର୍ଯ୍ୟାଳୟର ନିଜସ୍ବ ପାଣ୍ଠିରୁ ଦରମା ବ୍ୟବସ୍ଥା କରାଯାଇଥିଲା। ହେଲେ ୨୦୧୯ ଜୁଲାଇ ମାସରୁ ଡିସେମ୍ବର ମାସ ଯାଏ ସେ ଦରମା ବାବଦରେ ୨୦ ହଜାର ପାଇବାକୁ ଥିବାବେଳେ ଏହି ଟଙ୍କା ଦେବା ପାଇଁ ସିଡିପିଓ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ବକେୟା ଦରମା ପାଇବା ଲାଗି ୩ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ମୁହଁ ଖୋଲି କହିଥିଲେ ସିଡିପିଓ। ପ୍ରଥମେ ମୁଣ୍ଡକାନ ଆଉଁସି ଚୁପ୍ ରହିଥିଲେ ରାଜକିଶୋର। ତେବେ ଦରମା ନ ମିଳିବାର ଆଉ କୌଣସି ଆଶା ନ ଦେଖି ସେ ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ଫେରାଦ ହୋଇଥିଲେ। ପୂର୍ବଯୋଜନା ମୁତାବକ, ଆଜି ରାଜକିଶୋର ୩ ହଜାର ଟଙ୍କା ଲାଞ୍ଚ ଦେବାବେଳେ ଭିଜିଲାନ୍ସ ଟିମ୍‌ ସିଡିପିଓଙ୍କୁ ଧରିଥିଲା। ଚଢ଼ାଉବେଳେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ପିସି ମୁର୍ମୁ, ଏସ୍‌କେ ସାମନ୍ତ ଓ ଅନ୍ୟମାନେ ସାମିଲ ହୋଇଥିଲେ। ଏ ନେଇ ସିଡିପିଓ ଶ୍ରୀମତୀ ଦାସଙ୍କ ବିରୋଧରେ ଭିଜିଲାନ୍ସ କେସ୍‌ ନମ୍ବର ୨୦/୨୦ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର