ନବରଙ୍ଗପୁର: ଅଙ୍ଗନବାଡି କେନ୍ଦ୍ର ପାଇଁ ଡ୍ରେସ କିଣାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସିଡିପିଓ ଲାଞ୍ଚ ମାଗିବା ଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ। ଏହାକୁ ନେଇ ଏବେ ଅଡୁଆରେ ନବରଙ୍ଗପୁର ସିଡିପିଓ ସବିତା ରାଣୀ ବ୍ରହ୍ମା। ମଙ୍ଗଳବାର ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ବିଧାୟକଙ୍କ ଏକ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଏହି ଜନଶୁଣାଣି ଶିବିରରେ ବିଧାୟକ ସିଧାସଳଖ ସିଡିପିଓଙ୍କୁ ଟାର୍ଗେଟ କରିବା ସହ ତାଗିତ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ବିଧାୟକଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ନବରଙ୍ଗପୁର ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକର ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇଦେବା ପାଇଁ ଦାୟିତ୍ୱ ନେଇଥିବା ଏକ ନିର୍ଦ୍ଧିଷ୍ଟ ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ନବରଙ୍ଗପୁର ସିଡିପିଓ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା, ଉକ୍ତ ମହିଳା ଗ୍ରୁପ ସିଡିପିଓଙ୍କୁ ୫ ହଜାରଟଙ୍କା ଦେବାରୁ ସେ ୫ ହଜାର ଟଙ୍କା ନେବାରେ ରାଜି ନହୋଇ ୧୦ ହଜାର ଟଙ୍କା ନଦେଲେ ନେବି ନାହିଁ କହି ଟଙ୍କା ଫପାଡିଦେଇଥିବା ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା।
ଏହାକୁ ନେଇଁ ମଙ୍ଗଳବାର ନବରଙ୍ଗପୁର ବ୍ଲକ ସମ୍ମିଳନୀ ଗୃହରେ ବିଧାୟକ ସିଡିପିଓଙ୍କ ଉପରେ ଖୁବ୍ ବିଗିଡିଥିଲେ। ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ଏହି ଲାଞ୍ଚ ଅଭିଯୋଗକୁ ନେଇ ବିଧାୟକ ସିଧାସଳଖ ଭାବେ ଏହି ବିଷୟ ନେଇ ସିଡିପିଓଙ୍କୁ ପଚାରିଥିଲେ। ସମସ୍ତ ଲୋକଙ୍କ ଉପସ୍ଥିତିରେ ସିଡିପିଓଙ୍କୁ ଡାକି ତାଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗ ବିଷୟରେ ବିଧାୟକ ସିଡିପିଓଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ, ଯାହାକୁ ନେଇ ନବରଙ୍ଗପୁର ସିଡିପିଓ ସବିତା ରାଣୀ ବ୍ରହ୍ମା ବିଧାୟକଙ୍କ ସମ୍ମୁଖରେ କିଛି କହିପାରି ଚୁପ ହୋଇଯାଇଥିଲେ।
ଏହାପରେ ବିଧାୟକ ତାଗିଦ କରି କହିଥିଲେ ଏହି ସରକାରରେ ଲାଞ୍ଚ କାରବାର ଚଳିବନାହିଁ। ୨୪ ବର୍ଷ ହେବ ଲାଞ୍ଚ ମାଗିବାର ଅଭ୍ୟାସ ଛାଡ଼। ଆପଣ ଲାଞ୍ଚ ମାଗୁଥିବା ନେଇ ମୋ ନିକଟରେ ପ୍ରମାଣ ରହିଛି। ତମ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିପିଓଙ୍କ ଉପରେ ବର୍ଷିଥିଲେ ବିଧାୟକ। ଅନ୍ୟପଟେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ସିଡିପିଓ କହିଛନ୍ତି ମୋ ବିରୁଦ୍ଧରେ ବିଧାୟକଙ୍କୁ କେହି ମିସଗାଇଡ କରିଛନ୍ତି। ଲାଞ୍ଚର କୌଣସି ପ୍ରଶ୍ନ ଉଠୁନି। ସେ କୌଣସି ଲାଞ୍ଚ କାରବାରରେ ଲିପ୍ତନାହିଁ ବୋଲି କହିଛନ୍ତି ସିଡିପିଓ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Capture-2.jpg)