ଭୁବନେଶ୍ବର : ରାଜ୍ୟରେ ଆଦିମ ଜନଜାତିଙ୍କ ମଧ୍ୟରେ ବାଲ୍ୟ ବିବାହ ନିୟନ୍ତ୍ରଣ ଏବଂ ବିଳମ୍ବିତ ବିବାହ ପ୍ରୋତ୍ସାହନ ପାଇଁ ମହିଳା ଶିଶୁ କଲ୍ୟାଣ ବିଭାଗ ଏବଂ ସିଡିପିଓଙ୍କୁ ସାମିଲ କରାଯାଇଛି। ଖୁବ ଶୀଘ୍ର ଆଦିମ ଜନଜାତି ପ୍ରଭାବିତ ଜିଲ୍ଲା ସ୍ତରରେ ବୈଠକ ହୋଇ ଏହାକୁ ନେଇ ରଣନୀତି ପ୍ରସ୍ତୁତ ହେବ। ପୂର୍ବରୁ ଅନୁସୂଚିତ ଜାତି-ଜନଜାତି ବିକାଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଉ ଥିଲା।

Advertisment

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ ଅନୁସାରେ, ରାଜ୍ୟର ୨୦.୫ ପ୍ରତିଶତ ଝିଅ, ୧୩.୩ ପ୍ରତିଶତ ପୁଅ ବାଲ୍ୟ ବିବାହ କରିଛନ୍ତି। ଆଦିବାସୀ ପ୍ରଭାବିତ ନବରଙ୍ଗପୁର, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ବାଲେଶ୍ବର, ବୌଦ୍ଧ, ଅନୁଗୁଳ ଏବଂ ଢେଙ୍କାନାଳରେ ବାଲ୍ୟ ବିବାହର ବିକଳ ଚିତ୍ର ରହିଛି। ରାଜ୍ୟରେ ଥିବା ସମୁଦାୟ ୨୨.୮୫ ପ୍ରତିଶତ ଆଦିବାସୀଙ୍କ ମଧ୍ୟରେ ୧୮ ବର୍ଷ ପୂର୍ବରୁ ବିବାହ ସର୍ବାଧିକ ହେଉଛି। ପିଭିଟି ବା ଆଦିମ ଜନଜାତିଙ୍କ ମଧ୍ୟରେ ବାଲ୍ୟ ବିବାହ ସର୍ବାଧିକ ରହିଛି। ଜନଜାତିଙ୍କ ମଧ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ ୪ ବର୍ଷ ମଧ୍ୟରେ ରାଜ୍ୟର ୮୫୨ ପିଭିଟି ଝିଅଙ୍କୁ ବିଳମ୍ବିତ ବିବାହ(୧୮ ବର୍ଷ ପରେ ବିବାହ ପାଇଁ)ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ୨୦୧୮ ମସିହାରେ ଓପିଲିପି ପକ୍ଷରୁ ଆଦିମ ଜନଜାତି ଝିଅଙ୍କ ପାଇଁ ଏହା ଆରମ୍ଭ କରାଯାଇଛି।