ସୁନ୍ଦରଗଡ଼: ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ତଥା ବଡ଼ଗାଁ ଶାଖା ପରିଚାଳକ ରଞ୍ଜନ କୁମାର ପଟେଲଙ୍କ ଦୁର୍ନୀତି ସୀମା ଲଂଘିଥିବା ଅଭିଯୋଗ ହୋଇଛି। ୨୦୨୨ ଜାନୁଆରି ୩୧ରୁ ଅପ୍ରେଲ ୨୭ ଯାଏ ଦାୟିତ୍ବରେ ଥିବା ସମୟରେ ଏହି ଅଧିକାରୀ ଓଡ଼ିଶା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ମାନବ ସମ୍ବଳ ନୀତି-୨୦୧୧ର ସମସ୍ତ ନିୟମ ଓ ଧାରାକୁ ଅବମାନନା କରି ନିଜେ ନିଜକୁ ମ୍ୟାନେଜରରୁ ଏଜିଏମକୁ ପଦୋନ୍ନତି କରାଇବା ସହ ଏକାଦିକ୍ରମେ ୮ ଶହ ଦିନର ଛୁଟି ମଞ୍ଜୁର କରାଇନେଇଥିବା ବ୍ୟାଙ୍କ କର୍ମଚାରୀ ମହାସଂଘ ଅଭିଯୋଗ କରିଛି।
କେବଳ ସେତିକି ନୁହେଁ, ସର୍ଗିପାଲି ବ୍ୟାଙ୍କ ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ତାଙ୍କ ପତ୍ନୀ କନକ ପଟେଲଙ୍କୁ ମ୍ୟାନେଜର ଭାବେ ପଦୋନ୍ନତି ଦେଇ ସୁନ୍ଦରଗଡ଼ ବସଷ୍ଟାଣ୍ଟ ବ୍ୟାଙ୍କ ଶାଖାକୁ ବଦଳି କରି ନେଇ ଆସିଛନ୍ତି। ଏହା ବ୍ୟତୀତ ନିଜ କ୍ଷମତାର ଦୁରୁପଯୋଗ କରି ପତିପତ୍ନୀଙ୍କ ବକେୟା ଦରମା ୩୩.୨୨ ଲକ୍ଷ ଉଠାଇ ନେଇଛନ୍ତି। ସେଥିମଧ୍ୟରେ ରଞ୍ଜନ ପଟେଲଙ୍କ ଛୁଟି (ଇଏଲ) ବାବଦକୁ ୫ ଲକ୍ଷ, ବର୍ଦ୍ଧିତ ଦରମା (ଇଂକ୍ରିମେଣ୍ଟ) ୧୩ ଲକ୍ଷ, ପ୍ରୋତ୍ସାହନ ରାଶି (ଇନସେନଟିଭ୍) ୭୧ ହଜାର ଏବଂ ତାଙ୍କ ପତ୍ନୀ କନକ ପଟେଲଙ୍କ ଛୁଟି (ଇଏଲ) ବାବଦକୁ ୪.୪୫ ଲକ୍ଷ, ବର୍ଦ୍ଧିତ ଦରମା ୯.୫୨ ଲକ୍ଷ ଓ ପ୍ରୋତ୍ସାହନ ରାଶି ୪୮ ହଜାର ରହିଛି। ତେବେ ଏସବୁ ବେନିୟମ କାର୍ଯ୍ୟକୁ ଅନୁମୋଦନ କରିଥିବା ବ୍ୟାଙ୍କର ଭାରପ୍ରାପ୍ତ କର୍ତ୍ତୃପକ୍ଷ ତଥା ସୁନ୍ଦରଗଡ଼ ସମବାୟ ଉପନିବନ୍ଧକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ମହାସଂଘ। ସବୁ ନୀତିନିୟମକୁ ଅବମାନନା କରି ବ୍ୟାଙ୍କର କେବଳ ଜଣେ ଅଧିକାରୀଙ୍କୁ ଏପରି ଅନୁକମ୍ପା ପ୍ରଦର୍ଶନ କରିବା ପଛରେ ଭିନ୍ନ ରହସ୍ୟ ଲୁଚି ରହିଥିବା ମହାସଂଘ ପ୍ରକାଶ କରିଛି।
ମହାସଂଘର ଅଭିଯୋଗ ଅନୁସାରେ, ଶ୍ରୀ ପଟେଲଙ୍କ ପଦୋନ୍ନତି ସମୟରେ ଓଡ଼ିଶା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ମାନବ ସମ୍ବଳ ନୀତି-୨୦୧୧ର ସମସ୍ତ ନିୟମ ଓ ଧାରାକୁ ଅଣଦେଖା କରାଯାଇଛି। ଏହା ଛଡ଼ା ଶ୍ରୀ ପଟେଲଙ୍କ ପତ୍ନୀଙ୍କ ପଦୋନ୍ନତି ମଧ୍ୟ ବେଆଇନ ବୋଲି ମହାସଂଘ ଅଭିଯୋଗ କରିଛି। କାରଣ ପୂର୍ବରୁ ପଦୋନ୍ନତି ପାଇଁ ତାଙ୍କ ପତ୍ନୀ ଶ୍ରୀମତୀ ପଟେଲଙ୍କ ଯୋଗ୍ୟତା ଉପରେ ରାଜ୍ୟ ସମବାୟ ନିବନ୍ଧକ ଓ ବୈଷୟିକ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଥିଲା। ତାର କୌଣସି ଉତ୍ତର ଆସିବା ପୂର୍ବରୁ ତାଙ୍କୁ ତରବରିଆ ଭାବେ ପଦୋନ୍ନତି ଦିଆଯାଇଛି।
ଅନ୍ୟପଟେ ଭାରପ୍ରାପ୍ତ ବ୍ୟାଙ୍କ ସିଇଓ ଭାବେ ଶ୍ରୀ ପଟେଲଙ୍କ ସ୍ବଳ୍ପ ସମୟର କାର୍ଯ୍ୟକାଳ ମଧ୍ୟରେ ସିଇଓଙ୍କ ନିଜସ୍ବ ନିଯୁକ୍ତି ଓ ବ୍ୟାଙ୍କକୁ ପୁନଃ ଋଣ ପ୍ରଦାନ ପ୍ରସଙ୍ଗ ଉପରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହ ଲାଗିଥିବା ବିବାଦ ବିଷୟ ସେ ନିଜେ ଅବଗତ ଥାଇ ମଧ୍ୟ ୧୭ କୋଟି ଟଙ୍କାର ଦଣ୍ଡସୁଧ ପ୍ରଦାନ କରି ବ୍ୟାଙ୍କକୁ କ୍ଷତିରେ ପକାଇଛନ୍ତି। ଯଦିଓ ପୂର୍ବ ବର୍ଷ ରାଜ୍ୟ ସମବାୟ ବ୍ୟାଙ୍କ ନାବାର୍ଡର ପୁନଃ ଋଣ ଯୋଜନାର ପ୍ରାୟ ୮ ଶହ କୋଟି ଟଙ୍କା ଏହି ବ୍ୟାଙ୍କକୁ ନଦେଇ ଅନ୍ୟତ୍ର ବିନିଯୋଗ କରି ଲାଭ ଉଠାଇଥିଲେ। ଏହା ସତ୍ତ୍ବେ ତାକୁ ୧୭ କୋଟିର ଦଣ୍ଡସୁଧ ଦେବା ବ୍ୟାଙ୍କର ସ୍ବାର୍ଥ ପରିପନ୍ଥୀ ବୋଲି ମହାସଂଘ ପ୍ରକାଶ କରିଛି।
ଏହା ଛଡ଼ା ବ୍ୟାଙ୍କର ବିଭିନ୍ନ ସୂତ୍ରରୁ ଉଦବୃତ୍ତ ଅର୍ଥ ରାଶିକୁ କମ୍ ସୁଧ ହାରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଜମା ଆକାରରେ ରଖାଯାଇଛି। ଯେଉଁଥିପାଇଁ ବାର୍ଷିକ ପ୍ରାୟ ୩.୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା କ୍ଷତି ହେବାର ସମ୍ଭାବନା ଥିବା ମହାସଂଘ ପ୍ରକାଶ କରିବା ସହ ଏସବୁ ଅନିୟମିତତାର ଅଡିଟ୍ ଦାବି କରିଆସୁଛି। ତେବେ ସମବାୟ ବ୍ୟାଙ୍କ ଅଧିକାରୀ ଶ୍ରୀ ପଟେଲଙ୍କ ନାମରେ ଥିବା ଏତେ ସବୁ ଅନିୟମିତତା ଅଭିଯୋଗ ଉପରେ ଏଯାଏ କୌଣସି ତଦନ୍ତ କରାନଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସମବାୟ ଉପନିବନ୍ଧକଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/scam.jpg)