ଚଣ୍ଡିଖୋଲ: ୫-ଟି ଯୋଜନାରେ ରୂପାନ୍ତରୀକରଣ କାର୍ଯ୍ୟର ଦୁଇବର୍ଷ ପରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଗରଗାଲିସ୍ଥିତ ମଲିହାଶୁଣୀ ଉଚ୍ଚବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ସ୍ମାର୍ଟ ଶ୍ରେଣୀଗୃହର ସିଲିଂ ଖସିଯିବାରୁ ଦୁଇଜଣ ଛାତ୍ରୀ ଆହତ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୁଇଛାତ୍ରୀଙ୍କ ଉପରେ ସିଲିଂ ଭାଙ୍ଗିପଡ଼ିବା ଦେଖି ଅନ୍ୟ ତିନିଜଣ ଛାତ୍ରୀ ଛାନିଅାହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡ଼ିଦିଆଯାଇଛି।
ସୂଚନା ଅନୁସାରେ, ଦିନ ୧୦ ଟାରେ ପ୍ରାର୍ଥନା ପାଇଁ ଘଣ୍ଟି ବାଜିବା ପରେ ଛାତ୍ରଛାତ୍ରୀ ଶ୍ରେଣୀଗୃହରୁ ବାହାରି ପ୍ରାର୍ଥନାସ୍ଥଳକୁ ଯାଉଥିଲେ। ସ୍ମାର୍ଟ ଶ୍ରେଣୀଗୃହରେ ବସିୁଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ବାହାରକୁ ବାହାରି ଆସୁଥିଲେ। ଶେଷରେ ଆସୁଥିବା ଦୁଇଛାତ୍ରୀ ଇତିଶ୍ରୀ ଦାସ ଓ ତୃପ୍ତିମୟୀ ସାମଲଙ୍କ ଉପରେ ସ୍ମାର୍ଟ ଶ୍ରେଣୀଗୃହ ଛାତ ତଳେ ଥିବା ସିଲିଂ ହଠାତ୍ ଖସି ପଡ଼ିଥିଲା। ଦୁଇଛାତ୍ରୀଙ୍କ ମୁଣ୍ଡ ଓ କାନ୍ଧ ଉପରେ ସିଲିଂ ସାମଗ୍ରୀ ଏବଂ ଇଲେକ୍ଟ୍ରିକ୍ ଲାଇଟ୍ର ଅଂଶ ପଡ଼ିଯାଇଥିଲା। ଉଭୟ ଛାତ୍ରୀ ଆହତ ହୋଇଥିଲେ। ଏହା ଦେଖି ଅନ୍ୟ ତିନିଜଣ ଛାତ୍ରୀ ଗାୟତ୍ରୀ ସିଂହ, ଦୀପ୍ତିମୟୀ ସେଠୀ ଓ ଶୁଭଲକ୍ଷ୍ମୀ ସାମଲ ଛାନିଆ ହୋଇ ପଡ଼ିଯାଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ସତ୍ୟଭାମା ପରିଡ଼ାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚି ଆହତ ଛାତ୍ରୀମାନଙ୍କୁ ବାହାରକୁ ଆଣିବାପରେ ଆମ୍ବୁଲାନ୍ସ ଡକାଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତ ଛାତ୍ରୀମାନଙ୍କୁ ଛାଡ଼ି ଦିଆଯାଇଥିଲା।
ଅନ୍ୟପକ୍ଷରେ, ସ୍ଥାନୀୟ ବିଧାୟକ ଅମର ନାୟକ ବିଦ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ପରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ବିଦ୍ୟାଳୟକୁ ଡକାଇ ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବଡ଼ଚଣା ବ୍ଲକ୍ ଅଞ୍ଚଳରେ ୫-ଟି ଯୋଜନାରେ ନିର୍ମାଣ ହୋଇଥିବା ସମସ୍ତ ସ୍କୁଲ ଓ କଲେଜର କାର୍ଯ୍ୟ ତଦାରଖ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ବି ବିଧାୟକ ଶ୍ରୀ ନାୟକ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବିଧାୟକ ଶ୍ରୀ ନାୟକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।