ଆନନ୍ଦପୁର ଡାକ୍ତରଖାନାରେ ଅଘଟଣ: ଖସିଲା ସିଲିଂ, ବର୍ତ୍ତିଗଲେ କର୍ମଚାରୀ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଅଘଟଣ। ଡ୍ରେସିଂ ରୁମ୍‌ରୁ ଖସିପଡ଼ିଲା ସିଲିଂ। ସୌଭାଗ୍ୟବସତଃ ଜଣେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, କିଛିମାସ ହେଲା ଡ୍ରେସିଂରୁମ୍ ଛାତରୁ ପାଣି ଗଳୁଥିଲା। ଫଳରେ ସିଲିଂ ନଷ୍ଟ ହୋଇଯାଇଥିଲା। ସପ୍ତାହେ ହେଲା ବର୍ଷା ଲାଗି ରହିଥିବାବେଳେ ଆଜି ଦିନ ୧୧ଟାବେଳେ ହଠାତ୍‌ ସିଲିଂ ଖସି ପଡ଼ିଥିଲା।

ଘଟଣା ସମୟରେ ଡ୍ରେସିଂ ରୁମ୍‌ରେ କୌଣସି ରୋଗୀ ନଥିବାବେଳେ ଡ୍ରେସର୍‌ କଳ୍ପତରୁ ନାୟକ ଆଲମିରାରେ ଜିନିଷପତ୍ର ରଖୁଥିଲେ। ସିଲିଂ ଖସିବା ଶବ୍ଦ ଶୁଣି ସେ ବାହାରକୁ ଦୌଡ଼ି ଆସିବାରୁ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରେ କିଛି ସମୟ ପାଇଁ ରୋଗୀସେବା ବନ୍ଦ ହୋଇଯାଇଥିଲା। ପରେ ଅନ୍ୟ ଏକ କୋଠରିରେ ରୋଗୀଙ୍କୁ ଡ୍ରେସିଂ କରାଯାଉଥିବା ଜଣାପଡ଼ିଛି। ତେବେ ମାସମାସ ଧରି ଡ୍ରେସିଂ ରୁମ୍‌ ଛାତରୁ ପାଣି ଗଳି ସିଲିଂ ନଷ୍ଟ ହୋଇଯାଇଥିବା କଥା ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିଥିଲେ କି ନାହିଁ? ଯଦି ଜାଣିଥିଲେ ତେବେ କାହିଁକି ଏ ଦିଗରେ ପଦକ୍ଷେପ ନେଇ ନଥିଲେ ବୋଲି ପ୍ରଶ୍ନ ଉଠିଛି। ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର