ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ ପରିସରରେ ତିଆରି ହୋଇଥିବା ଅତ୍ୟାଧୁନିକ ସୁପର୍‌ସ୍ପେସାଲିଟି ବ୍ଲକ୍‌ରୁ ପୁଣି ସିଲିଂ ଖସିଛି। ଏହି ବିଭାଗରୁ ସିଲିଂ ଖସିବା ହେଉଛି ଦ୍ବିତୀୟ ଘଟଣା। ଏହି ଘଟଣା ଘଟିବା ବେଳେ ସୌଭାଗ୍ୟକ୍ରମେ ସେହି ସ୍ଥାନରେ କୌଣସି ରୋଗୀ ନଥିଲେ। ଫଳରେ, ବଡ଼ ଦୁର୍ଘଟଣାରୁ ରୋଗୀ ବର୍ତ୍ତି ଯାଇଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ କୋଠା ମରାମତି କାମ ଚାଲିଥିବାରୁ ଦୁର୍ବଳ ରହିଥିବା ସ୍ଥାନରୁ ସିଲିଂ ଖସି ପଡ଼ିଥିବା ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି।

Advertisment

ଏମ୍‌କେସିଜି ମେଡିକାଲ ପରିସରରେ ପିଏମ୍‌ଏସ୍‌ଏସ୍‌ୱାଇରେ ୧୫୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁପର୍‌ସ୍ପେସାଲିଟି ବ୍ଲକ୍‌ ତିଆରି ହୋଇଛି। ଏହି କୋଠା କାର୍ଯ୍ୟକ୍ଷମ ହେବାପରେ ରୋଗୀ ବିଶେଷମାତ୍ରାରେ ଉପକୃତ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ, ଏହି କୋଠାରେ ରହିବା ପାଇଁ ରୋଗୀ ଏବେ ଭୟ କରୁଛନ୍ତି। କାରଣ କେଉଁ ମୁହୂର୍ତ୍ତରେ କେଉଁଠି ସିଲିଂ ଖସିବ ତାହା କହି ହେବନାହିଁ! ଗତ ଅଗଷ୍ଟ ୨୬ତାରିଖରେ ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରୁ ରୋଗୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଓଟିର ବିଭିନ୍ନ ପ୍ରକାର ଯନ୍ତ୍ରପାତିରେ ମଧ୍ୟ ନିଆଁ ଲାଗି ନଷ୍ଟ ହୋଇଯାଇଥିଲା। ସେହିଦିନଠାରୁ ଓଟି କମ୍ପ୍ଲେକ୍ସ ବନ୍ଦ ରହିଥିବା ବେଳେ ମରାମତି ପରେ ତାହା କାର୍ଯ୍ୟକ୍ଷମ ହୋଇଛି। ଗତ ସେପ୍ଟେମ୍ବର ୮ତାରିଖ ଭୋର୍‌ରେ ସେହି ବିଭାଗର ଛାତରୁ ପୁଣିଥରେ ସିଲିଂ ଖସି ପଡ଼ିଥିଲା। ଏହି ଘଟଣା ପରେ ୯ତାରିଖରେ ଏଣ୍ଡୋକ୍ରିନୋଲୋଜି ବିଭାଗ ଇନ୍‌ଡୋର୍‌ ଛାତରୁ ସିଲିଂ ଖସିଥିଲା। ଏହାପରେ ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ କରି ସମାଧାନ ପନ୍ଥା ବାହାର କରାଯାଇଥିଲା। ଦୁର୍ବଳ ରହିଥିବା ସ୍ଥାନ ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ମରାମତି କାମ ଚାଲିଛି। ଆଜି ସକାଳେ ପୁଣିଥରେ ଏଣ୍ଡୋକ୍ରିନୋଲୋଜି ବିଭାଗରୁ ବଡ଼ ବଡ଼ ସିଲିଂ ଖଣ୍ଡ ଖସିଥିଲା। ସେହି ସ୍ଥାନରେ କୌଣସି ରୋଗୀ ନଥିଲେ। ଫଳରେ କେହି ଆହତ ହୋଇନାହାନ୍ତି।

ଏଣ୍ଡୋକ୍ରିନୋଲୋଜି ବିଭାଗର ଗୋଟିଏ ପଟ ସିଲିଂ ଦୁର୍ବଳ ରହିଥିବାରୁ ପୂର୍ତ୍ତ ବିଭାଗ ତରଫରୁ ତାହା ବାହାର କରାଯାଉଛି। ଅଧା ସିଲିଂ ବାହାର କରାଯାଇଥିବା ବେଳେ ବଳକା ଅଂଶ ଖସି ପଡ଼ିଛି। ସିଲିଂ ଖସିଥିବା ସ୍ଥାନରେ କୌଣସି ରୋଗୀ ନଥିଲେ ବୋଲି ଅଧୀକ୍ଷକ ପ୍ରଫେସର ମିଶ୍ର କହିଛନ୍ତି।