ସମ୍ବଲପୁର: ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବଂ ଆଗାମୀ ପାର୍ବଣ ଋତୁରେ ସ୍ୱଚ୍ଛତାକୁ ଅଧିକ ଦୃଷ୍ଟି ଦେବା। ପର୍ବପର୍ବାଣି ଭଳି ଆନନ୍ଦ ଓ ଉତ୍ସାହର ସହ ସ୍ୱଚ୍ଛତା ପର୍ବ ପାଳିବା ସହ ଆମ ସହରକୁ ସ୍ୱଚ୍ଛ ସହରରେ ପରିଣତ କରିବାର ସଂକଳ୍ପ ନେବାକୁ ସମ୍ବଲପୁରବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ସମ୍ବଲପୁର କ୍ଷେତରାଜପୁରରେ ‘ସମ୍ବଲପୁର ମହାନଗର ନିଗମ’ ପକ୍ଷରୁ ଆୟୋଜିତ ‘ସ୍ୱଚ୍ଛତା ହିଁ ସେବା- ୨୦୨୫’ କାର୍ଯ୍ୟକ୍ରମର ଆରମ୍ଭ କରିବା ସହ ସ୍ଥାନୀୟ ସ୍ୱଚ୍ଛସାଥୀମାନଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପ୍ରଧାନ। ସେ କହିଥିଲେ ଯେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ‘ସେବା ପକ୍ଷ’ ପାଳନର ପ୍ରସ୍ତୁତି ପୂର୍ବରୁ ଆଜି ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣରେ ସମ୍ବଲପୁର ପୂର୍ବବର୍ଷ ଅପେକ୍ଷା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି। କେବଳ ଦାୟିତ୍ୱରେ ଥିବା ଲୋକମାନେ ସ୍ୱଚ୍ଛତା ରଖିଲେ ହେବ ନାହିଁ, ବରଂ ସମ୍ବଲପୁର ଲୋକଙ୍କୁ ସ୍ୱଚ୍ଛତାରେ ସଂସ୍କାର ଆଣିବାକୁ ପଡ଼ିବ।
ସ୍ୱଚ୍ଛ ସାଥୀମାନଙ୍କୁ ଉତ୍ସାହିତ କରିବା ସହ ନିରୋଗ ଜୀବନ ପାଇଁ ସ୍ୱଚ୍ଛତାକୁ ଆପଣାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମ୍ବଲପୁରକୁ ଆବର୍ଜନାମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ପାଇଁ ସମବେତ ଜନସାଧାରଣ ଶପଥପାଠ କରିଥିଲେ। ସ୍ୱଚ୍ଛ ସମ୍ବଲପୁର ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ରାସ୍ତା ପାର୍ଶ୍ବରୁ ଆବର୍ଜନା ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ, ପୂର୍ବତନ ବିଧାୟକ ନାଉରୀ ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ମହାନଗର ନିଗମର କମିସନର ରେହାନ ଖତ୍ରୀଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସଫେଇ ପଦଯାତ୍ରାରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ।