ଭୁବନେଶ୍ୱର : ଆଜି କ୍ୟାପିଟାଲ ହାଇସ୍କୁଲ ପରିସରରେ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୪ତମ ଜୟନ୍ତୀ ଉତ୍ସବରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ସ୍ୱର୍ଗତ ଲୁଲୁ ମହାପାତ୍ର ରାଜ୍ୟ ଯୁବ ଓ ଛାତ୍ର ସମାଜର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଥିଲେ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ। ଲୁଲୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଛାତ୍ର ଓ ଯୁବ ସମାଜ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ ଏଆଇସିସି ସଂପାଦକ ଶୁଭଙ୍କର ସରକାର। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୪୦ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଧାବକ ଅମୀୟ କୁମାର ମଲ୍ଲିକ, କରାଟେ ଖେଲାଳି ଭାଲେନା ଭାଲେଣ୍ଟାଇନ୍ଙ୍କୁ ପ୍ରତିଭା ପୁରସ୍କାର ପ୍ରଦାନ ପୂର୍ବକ ବି ସମ୍ବର୍ଦ୍ଧିତ କରାଯାଇଥିଲା।
ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ହିମାଂଶୁ ଶେଖର ଲେଙ୍କା ଅତିଥି ପରିଚୟ ପ୍ରଦାନ ଏବଂ ଶ୍ରୀନିବାସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରଦୀପ ପାଣ୍ଡେ ପ୍ରମୁଖ ସ୍ୱର୍ଗତ ମହାପାତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।