ଦେଶ ଗଠନରେ ଇଞ୍ଜିନିୟରଙ୍କ ଗୁରୁ ଦାୟିତ୍ବ ରହିଛି: ମନ୍ତ୍ରୀ

ଇଞ୍ଜିନିୟର ଦିବସ ପାଳନ

ଭୁବନେଶ୍ୱର : ସ୍ବନାମଧନ୍ୟ ଇଞ୍ଜିନିୟର ଭାରତରତ୍ନ ସାର୍ ଏମ୍‌. ବିଶ୍ୱେଶ୍ୱରାୟାଙ୍କ ସ୍ମୃତି ଓ ଅବଦାନ ପ୍ରତି ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଦେଶ ଓ ରାଜ୍ୟ ଗଠନରେ ଇଞ୍ଜିନିୟରମାନଙ୍କର ଗୁରୁ ଦାୟିତ୍ବ ରହିଛି। ଏବେ ବୈଷୟିକ ଶିକ୍ଷାର ବହୁତ ଉନ୍ନତି ହୋଇଛି। ଓଡ଼ିଶା ମାଟିରେ ଇଞ୍ଜିନିୟରମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ପରିବେଶ ଓ ବାତାବରଣକୁ ସମୃଦ୍ଧ ରଖିବା ସହ ସୌରଶକ୍ତି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବା ପାଇଁ ଶ୍ରୀ ଘଡ଼େଇ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ଡ. ଚିତ୍ତରଞ୍ଜନ ତ୍ରିପାଠୀ, ବୁର୍ଲା ଭିଏସ୍‌ଏସ୍‌ୟୁଟିର ବରିଷ୍ଠ ପ୍ରଫେସର୍‌ ବଂଶୀଧର ମାଝୀ, ଓୟୁଟିଏଆରସିର ବରିଷ୍ଠ ପ୍ରଫେସର ପି.କେ. ପାତ୍ର, ଗ୍ରୁଜିପ୍ ଇଣ୍ଡିଆର ଯୁବ ଉଦ୍ୟୋଗପତି ଆନନ୍ଦ କୁମାର ମିଶ୍ର, ଯୁବ ଉଦ୍ୟୋଗପତି ସ୍ୱାତିକ ସ୍ୱାଇଁ, ଥିଙ୍କ-ଜୋନ୍‌ର ବିନାୟକ ଆଚାର୍ଯ୍ୟ, ଷ୍ଟାର୍ଟ-ଅପ୍ ଓଡ଼ିଶାର ସଂଯୁକ୍ତା ବଢ଼େଇ, ଜେଏସ୍‌ଡବ୍ଲର ପ୍ରକଳ୍ପ ମୁଖ୍ୟ ଅଶେଷ ପାଢ଼ୀ, ଯୁବ ଇଞ୍ଜିନିୟର୍‌ ପାର୍ଥସାରଥି ମୁଦୁଲି, ଶକ୍ତି ପ୍ରସାଦ ରଥ ଓ ସଂସଦ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ ଜ୍ଞାନକୌଶଳ ସାହାଯ୍ୟରେ ନୂତନ ନିର୍ମାଣ କରି ପରିବର୍ତ୍ତନ ଓ ନେତୃତ୍ୱର ସେତୁ ତିଆରି କରିବା ହିଁ ପ୍ରତ୍ୟେକ ଇଞ୍ଜିନିୟରମାନଙ୍କର ମୂଳ ଲକ୍ଷ୍ୟ ହେଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର