ଗ୍ଲୁକୋମା ସପ୍ତାହ ପାଳନ: କରୋନାରେ ଚିକିତ୍ସା ଅଭାବ, ଦୃଷ୍ଟିଶକ୍ତି ହରାଇଲେ ୪୦ ରୋଗୀ

ଓପିଡିକୁ ଆସୁଥିବା ୧୦୦ରୁ ୫ ଜଣଙ୍କଠାରେ ଗ୍ଲୁକୋମା ଚିହ୍ନଟ

ଭୁବନେଶ୍ବର : କରୋନା ଏବଂ ଲକ୍‌ଡାଉନ ଯୋଗୁଁ ଉପଯୁକ୍ତ ଚିକିତ୍ସା ପାଇନପାରି ଏମ୍‌ସକୁ ଆସିଥିବା ପ୍ରାୟ ୪୦ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇଛନ୍ତି। ଏପରିକି ବର୍ତ୍ତମାନ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହି ସମୟ ମଧ୍ୟରେ ଗ୍ଲୁକୋମା ଜଟିଳ ଆକାର ଧାରଣ କରିଛି। ପ୍ରତିଦିନ ଓପିଡିକୁ ଆସୁଥିବା ୧୦୦ ଜଣଙ୍କ ମଧ୍ୟରୁ ୪ରୁ୫ ଜଣଙ୍କ ଠାରେ ଗ୍ଲୁକୋମା ଚିହ୍ନଟ ହୋଇଛି। ଅର୍ଥାତ ମାସକୁ ପ୍ରାୟ ୧୦୦ରୁ ୧୫୦ ଜଣଙ୍କ ଠାରେ ଗ୍ଲୁକୋମା ଦେଖାଯାଉଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶେଷ ସମୟରେ ପହଞ୍ଚୁଥିବା ନେଇ ସୂଚନା ଦେଇଛନ୍ତି ଏମ୍‌ସ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଭାଗବତ ନାୟକ।

ଏମ୍‌ସ ଭୁବନେଶ୍ବରରେ ଆୟୋଜିତ ଗ୍ଲୁକୋମା ସପ୍ତାହ ଅବସରରେ ସେ କହିଛନ୍ତି, ଦୁଇ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ଏମ୍‌ସକୁ ଆସୁଥିବା ଗ୍ଲୁକୋମା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ଡାକ୍ତରଙ୍କୁ ଦେଖାଇଲେ ଆଖିର ଉପଯୁକ୍ତ ଚିକିତ୍ସା ହୋଇ ପାରୁଛି। ତେଣୁ ୪୦ ବର୍ଷ ପରେ ପ୍ରତ୍ୟେକ ବ୍ୟକ୍ତି ଆଖି ପରୀକ୍ଷା କରିବା ଉଚିତ। ଉଚ୍ଚ ପାୱାରର ଚଷମା ପିନ୍ଧୁଥିଲେ, ମଧୁମେହ, ହାଏପରଟେନସନରେ ପୀଡ଼ିତ ଥିବା ବ୍ୟକ୍ତି କିମ୍ବା ଘରେ ଗ୍ଲୁକୋମା ଥିଲେ ଆଖିର ସ୍ନାୟୁ ଏବଂ ପ୍ରେସରର ପରୀକ୍ଷଣ କରାଇ ନେବା ଉଚିତ। ଏମ୍‌ସରେ ସବୁ ବୟସର ଗ୍ଲୁୋକୋମା ରୋଗୀଙ୍କ ଚିକିତ୍ସା ପାଇଁ ଲେଜର, ସର୍ଜରି ବ୍ୟବସ୍ଥା ଏବଂ ଆଖି ପରୀକ୍ଷା ସୁବିଧା ରହିଛି। ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ କହିଛନ୍ତି, ବିଶ୍ବର ୭.୮ କୋଟି ଗ୍ଲୁକୋମା ରୋଗୀଙ୍କ ମଧ୍ୟରୁ ୧.୬ କୋଟି କେବଳ ଭାରତର ଅଟନ୍ତି। ଚକ୍ଷୁ ବିଭାଗ ଏଚଓଡି ସୁଚେତ ପରିଜା ଗ୍ଲୁକୋମା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଡାକ୍ତର ସନ୍ଦୀପ ସାହୁ, ଏମ୍‌ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ପରୀକ୍ଷଣ କରାଯାଉଥିବା ସୂଚନା ଦିଆଯାଇଛି। ଶେଷରେ ଡାକ୍ତର ପ୍ରିୟଦର୍ଶୀ ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଡା. ପ୍ରଭାସ ତ୍ରିପାଠୀ, ଡା. ବିନୟ ପଣ୍ଡା, ଡା. ବୃତାନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର