ମାଣ୍ଡିଆ ଦିବସ ପାଳନ ଅବସରରେ ଛାଇଗଲା ମାଣ୍ଡିଆ ସୁପ୍‌, ରାଗି ମୋମୋ, ସର୍‌ଗମ ପକୋଡ଼ା

ଭୁବନେଶ୍ବର : ମାଣ୍ଡିଆ ସୁପ୍‌, ରାଗି ମୋମୋ ସାଙ୍ଗକୁ ସର୍‌ଗମ ପକୋଡ଼ା। ସେହିଭଳି ସୂଆଁର ଦହି ଭାତ, କାଙ୍ଗୁର ଖିଚିଡ଼ି ମଧ୍ୟ ମନ କିଣିନେଇଥିଲା। ଗୁରୁବାର ଦିନ ମାଣ୍ଡିଆ ଦିବସ ପାଳନ ଅବସରରେ କୃଷି ଭବନରେ ଏମିତି ମିଲେଟ୍ ଜାତୀୟ ୨୫ ପ୍ରକାର ଖାଦ୍ୟ ଅତିଥିମାନଙ୍କ ମନ ଛୁଇଁଥିଲା। ସମସ୍ତ ମିଲେଟ୍‌ ଖାଦ୍ୟକୁ ଭୂରିଭୂରି ପ୍ରଶଂସା କରିଥିଲେ।

ମିଲେଟ୍‌ କହିଲେ ପୁଷ୍ଟିଯୁକ୍ତ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟଶସ୍ୟକୁ ବୁଝାଏ। କିଛି ଦିନ ପୂର୍ବରୁ ମିଲେଟ୍ ମିସନ ପକ୍ଷରୁ ବିଭିନ୍ନ ସରକାରୀ ହୋଟେଲ କର୍ମଚାରୀଙ୍କୁ ମିଲେଟ୍ ଦୋସା, ଇଟିଲି ତିଆରି ପ୍ରଶିକ୍ଷଣ ଦିଆଯାଇଥିଲା। ମିଲେଟ୍‌ ଦିବସ ଅବସରରେ କୃଷି ଭବନର ଆୟୋଜିତ କାର୍ଯ୍ୟକ୍ରମରେ ମାଇକେଲ୍‌ କିଚେନ୍‌ ୟୁରୋପିୟାନ୍‌ ସୁପ୍‌ ଶୈଳୀରେ ତିଆରି ହୋଇଥିଲା ମାଣ୍ଡିଆ ସୁପ୍‌। ତା’ ସହିତ ସର୍‌ଗମ ମିଲେଟ୍, ବାଜରା ଏବଂ ସୁଆଁକୁ ନେଇ ପ୍ରସ୍ତୁତ ହୋଇଥିଲା ମିକ୍ସ ମିଲେଟ୍‌ର ପାସ୍ତା। ମିଠାରେ ରାଗି ବ୍ରାଉନି, ମଫେନ୍, ରାଗି ଲଡ଼ୁ, ସୂଆଁ ଖିରି ରହିଥିଲା। ସେହିଭଳି ଆଜି ମାଣ୍ଡିଆ ଦିବସ ଅବସରରେ ଭୁବନେଶ୍ବରର ବିଭିନ୍ନ ରେସ୍ତୋରାଁରେ ମିଲେଟ୍ ଜାତୀୟ ଖାଦ୍ୟ ବିକ୍ରି କରାଯାଇଛି। ହୋଟେଲ୍‌ରେ ପ୍ରସ୍ତୁତ ମାଣ୍ଡିଆ ଗୁପ୍‌ଚୁପ୍‌, ପୋଡ଼ା ଚିଙ୍ଗୁଡ଼ି ଛେଚା ସହିତ ମାଣ୍ଡିଆ ତୋରାଣି, ରାଗି ସୁପ୍‌, ମାଣ୍ଡିଆ ମଞ୍ଚୁରିଆନ୍‌ ଆଦି ପ୍ରମୁଖ ଖାଦ୍ୟ ଆଇଟମ୍‌ ବେଶ୍‌ ବିକ୍ରି ହୋଇଥିଲା।

ଏଣିକି ସବୁ ସମୟରେ ଏଭଳି ଖାଦ୍ୟ ହୋଟେଲ୍‌ମାନଙ୍କରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ପୁଷ୍ଟିଯୁକ୍ତ ମିଲେଟ୍ ବର୍ତ୍ତମାନ ସବୁ ବର୍ଗର ଲୋକଙ୍କ ପାଖକୁ ପହଞ୍ଚିପାରୁଛି। ବଡ଼ କଥା ହେଉଛି, ମଇଦା ଜାତୀୟ ଫାଷ୍ଟ୍‌ଫୁଡ୍‌ର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ରହିଥାଏ। କିନ୍ତୁ ମିଲେଟ୍ ଫାଷ୍ଟ୍‌ଫୁଡ୍‌ ଯେତିକି ସ୍ବାଦିଷ୍ଟ, ଦେହ ପାଇଁ ସେତିକି ଭଲ। ବି‌ଶେଷକରି ମଧୁମେହ ରୋଗୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହୋଇଥିବାରୁ ସେମାନେ ଏହାର ମଜା ନେଇପାରୁଛନ୍ତି।

ସମ୍ବନ୍ଧିତ ଖବର