ମାଓବାଦୀଙ୍କ ବିଶ୍ବ ଆଦିବାସୀ ଦିବସ ପାଳନ, ଭିଡିଓ କଲେ ଭାଇରାଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଡିଭିଜନ ପକ୍ଷରୁ ସୀମାନ୍ତ ସୁକମା ଜଙ୍ଗଲରେ ମାଓବାଦୀ ବିଶ୍ବ ଆଦିବାସୀ ଦିବସ ପାଳନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ଏବଂ ଆଦିବାସୀ ଭାଷାରେ ଗୀତ ଗାଇ ବାଦ୍ୟର ତାଳେ ତାଳେ ମିଳିମିଶି ନୃତ୍ୟ କରିଥିଲେ। ଏହି ଭିଡିଓକୁ ଏବେ ମାଓବାଦୀମାନେ ଭାଇରାଲ୍‌ କରିଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ବଡ଼ ବଡ଼ କ୍ୟାଡର ମାଓବାଦୀ ଉପସ୍ଥିତ ଥିଲେ। ମାଓବାଦୀ ସଂଗଠନର ଜନନାଟ୍ୟ ମଣ୍ଡଳୀ ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମଣ୍ଡଳୀର ସଦସ୍ୟ ବାଦ୍ୟ ବଜାଇ ଆଦିବାସୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚୁଥିବା ବେଳେ ବାଜା ବଜାଉଥିବା ସଦସ୍ୟମାନଙ୍କ ପିଠିରେ ବନ୍ଧୁକ ଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡିଓରେ କ୍ୟାଡର ମାଓବାଦୀଙ୍କ ମୁହଁକୁ ପ୍ରଦର୍ଶିତ କରା ଯାଇନାହିଁ। ଅନ୍ୟ ସମସ୍ତ ମାଓବାଦୀ ସାଦା ପୋଷାକ ଏବଂ ଜନନାଟ୍ୟ ମଣ୍ଡଳୀର ପୋଷାକ ପରିଧାନ କରିଥିଲେ। ବିଶେଷ କରି ଏହି ଅଞ୍ଚଳରେ କୋୟା ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ସମ୍ମିଳନୀରେ କେବଳ କୋୟା ସଂପ୍ରଦାୟର ଲୋକଙ୍କୁ ହିଁ ଦେଖିବାକୁ ମିଳିଛି।

ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ସୀମାନ୍ତବର୍ତ୍ତୀ ଅଞ୍ଚଳର ଆଦିବାସୀଙ୍କୁ ଏକତ୍ରିତ କରିଥିଲେ ମାଓବାଦୀ। ଏକ ସାଧାରଣ ସଭାର ଆୟୋଜନ କରିବା ସହ ନାଚଗୀତର ଆସର ଜମିଥିଲା। ଏଥି ସହ ବିରାଟ ଭୋଜିର ଆୟୋଜନ ମଧ୍ୟ ହୋଇଥିଲା। ତେବେ ସମାବେଶରେ କୋଭିଡ୍ ନିୟମ ସଂପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ଉପସ୍ଥିତ ହଜାର ହଜାର ମହିଳା ପୁରୁଷ ସାମାଜିକ ଦୂରତା ନିୟମ ମାନି ନ ଥିଲେ। ଏପରିକି କୌଣସି ମହିଳା ପୁରୁଷ ମୁହଁରେ ମାସ୍କ ପିନ୍ଧି ନ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଓବାଦୀମାନେ ପୁଣି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଲୋକଙ୍କୁ ଏକତ୍ରିତ କରିବା ସହ ସରକାର ଓ ପୁଲିସ ବିରୋଧୀ ସ୍ଲୋଗାନ ଦେଇ ଲୋକଙ୍କୁ ମତାଉଥିବା ଦେଖିବାକୁ ମିଳିଛି। ଏ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ମାଓବାଦୀ କିନ୍ତୁ ପୁଲିସକୁ ଚ୍ୟାଲେଞ୍ଜ କରି ଏତେ ବଡ଼ ଆୟୋଜନ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର