ବଣ୍ଟାହେଲା ୫୦ ହଜାର ରସଗୋଲା

ଭୁବନେଶ୍ବର: ମିଠା କାରଖାନା ପାଇଁ ଜମି ଯୋଗାଇ ଦିଆଯିବ। ଯେଉଁଠି ମିଠା ପାଇଁ ଉନ୍ନତ ଭିତ୍ତିଭୂମି ଓ ପ୍ୟାକେଜିଂର ବ୍ୟବସ୍ଥା ହେବ। ଇଡ୍‌କୋ ଅଧୀନରେ ଥିବା ଜମି ମଧ୍ୟରୁ ଏକ ଜମି ଚିହ୍ନଟ କରାଯିବା ପରେ ସେଠାରେ କାରଖାନା ସ୍ଥାପନ ହେବା ନେଇ ମତ ରଖିଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟା‌ପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ‘ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି’ର କିଛି ସଦସ୍ୟଙ୍କୁ ସଚିବାଳୟ ଡାକି ଏ ବାବଦରେ ଆଲୋଚନା ପାଇଁ ସେ ଆହ୍ବାନ କରିଛନ୍ତି। ରସଗୋଲାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପରେ ଉତ୍ସାହିତ ମିଷ୍ଟାନ୍ନ ବ୍ୟବସାୟୀମାନଙ୍କ ଦ୍ବାରା ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଭାରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଏପରି ମତ ରଖି ମିଠା ବ୍ୟବସାୟୀଙ୍କୁ ଉତ୍ସାହିତ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମିତି ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତାରେ ଉଲ୍ଲେଖ କରିଛନ୍ତି, ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଏହାର ଭୌଗଳିକ ସ୍ବାତନ୍ତ୍ରୢ ପ୍ରମାଣିତ ହୋଇପାରିଛି। ଏହି ସଫଳତାର ଶ୍ରେୟ ଓଡ଼ିଶାବାସୀଙ୍କର। ରସଗୋଲାର ସ୍ବାତନ୍ତ୍ରୢକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସ୍ତରରେ ଏହାର ଗୌରବ ବୃଦ୍ଧି କରିବା ପାଇଁ ସମସ୍ତେ ନିଷ୍ଠାପର ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସମିତିର ସମସ୍ତ ଦାବିଗୁଡ଼ିକ ଉପରେ ଧ୍ୟାନ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ଦେବୀପ୍ରସାଦ ମିଶ୍ର, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟରେ ସରକାରୀ ପ୍ରୋତ୍ସାହନ ନେଇ ସମ୍ମତି ଜଣାଇଥିଲେ।

ରାଜଧାନୀ ଓ ରାଜ୍ୟର ଅନ୍ୟ ସହରରେ ମିଠା ହବ୍‌ ସ୍ଥାପନ, କ୍ଷୁଦ୍ର ମିଷ୍ଟାନ୍ନ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା, ପାହାଳରେ ରସଗୋଲା ବ୍ୟବସାୟୀଙ୍କୁ ସରକାରୀ ଜାଗାରେ ସ୍ବତନ୍ତ୍ର ଭାବେ ଥଇଥାନ ଓ ଆର୍ଥିକ ପ୍ରୋତ୍ସାହନ, ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭ୍ୟମାନଙ୍କୁ ଇଡ୍‌କୋ ଅଧୀନରେ ଥିବା ଜାଗା ମଧ୍ୟରୁ ଏକ ଜାଗା ମିଠା କାରଖାନା ପାଇଁ ଯୋଗାଇ ଦେବା, ବିଦେଶକୁ ମିଠା ରପ୍ତାନୀ ପାଇଁ ଉତ୍ତମ ଭିତ୍ତିଭୂମି ଓ ପ୍ୟାକେଜିଂ ବ୍ୟବସ୍ଥା କରିବା, ସମିତିର କାର୍ଯ୍ୟାଳୟ ପାଇଁ ସରକାରୀ ବାସଗୃହ ଯୋଗାଇ ଦେବା ଏବଂ ଫେଣି, ଛେନାଗଜା, ଛେନାପୋଡ଼, ଛେନାଝିଲ୍ଲୀ, ଆରିସା, ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ପାଇଁ ପ୍ରୟାସ କରିବାକୁ ସମିତିର ସଭାପତି ବିମ୍ବାଧର ବେହେରା ସରକାରଙ୍କ ପାଖରେ ଦାବି କରିଥିଲେ।

ଏହି ଅବସରରେ ରସଗୋଲାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦିଗରେ ଅବଦାନ ରଖିଥିବା ଗବେଷକ ଡ.ଅସିତ ମହାନ୍ତି, ଡ.ଅନିତା ସାବତ, ତନୟା ପଟ୍ଟନାୟକ, ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଡ.ସୁଶାନ୍ତ ରାଉତ, ଓଏସ୍‌ଆଇସିର ପୂର୍ବତନ ଅଧିକାରୀ କମଳାକାନ୍ତ ସାହୁ, ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ, ଗବେଷକ ଡ.ଭାସ୍କର ମିଶ୍ର, ଗବେଷିକା ଡ.ତୁଳସୀ ଓଝା, ରିଜିଓନାଲ୍‌ ଡେଭଲପମେଣ୍ଟ୍‌ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ‘ଓଡ଼ିଆ ପର୍ବ’ର ସମ୍ପାଦକ ସନ୍ତୋଷ କୁମାର ସାହୁ, ପୁଣ୍ୟ ଉତ୍କଳର ସଂଗଠନ ସମ୍ପାଦକ ସୁଶାନ୍ତ, ‘ମୁକ୍ତ ଚିନ୍ତନ ମଂଚ’ର ସମ୍ପାଦକ ପୀତବାସ ରାଉତରାୟ, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଓ କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ଯେଉଁମାନେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କୁ ସମ୍ବର୍ଧନାର ସ୍ମାରକୀ ପଠାଇ ଦିଆଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଥିଲା। ସମିତିର ଉପଦେଷ୍ଟା ପ୍ରଶାନ୍ତ କରଙ୍କ ସମେତ ପାହାଳ ରସଗୋଲା ବ୍ୟବସାୟୀ ସଂଘର ସମସ୍ତ କର୍ମକର୍ତା ଓ ସମିତିର ସଦସ୍ୟଗଣ ଉପସ୍ଥିତ ଥିଲେ।

ସଭାରେ ଗବେଷକ ଅସିତ ମହାନ୍ତି ରସଗୋଲା ଜିଆଇ ଟ୍ୟାଗ୍‌ ମାନ୍ୟତା ଦିଗରେ ହୋଇଥିବା ଉଦ୍ୟମ ଓ ସେଥି ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବାବଦରେ ସମ୍ୟକ ସୂଚନା ଦେଇଥିଲେ। କଣ୍ଠଶିଳ୍ପୀ ସୁସ୍ମିତା ଦାସ ରସଗୋଲା ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ସମିତି ପକ୍ଷରୁ ୫୦ ହଜାର ରସଗୋଲା ବଣ୍ଟା ଯାଇଥିଲା। ରସଗୋଲା ଖାଇବାକୁ ପ୍ରବଳ ଭିଡ଼ ହୋଇଥିଲା।

 

ସମ୍ବନ୍ଧିତ ଖବର